ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକାଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲକ୍ଷ୍ନୌ କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା କରାଯାଇଛି । ମାଫିଆ ମୁଖତାର ଅନସାରୀର ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀବାକୁ ଲକ୍ଷ୍ନୌର ସିଭିଲ କୋର୍ଟରେ ଗୁଳି କରି ହତ୍ୟା କରାଯାଇଛି । ଜଣେ ବ୍ୟକ୍ତି ଓକିଲ ବେଶରେ ଆସି ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଜଣେ ନାବାଳିକା ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସଞ୍ଜୀବ ଜୀଭାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିର ପରିଚୟ ମିଳିଛି। ତା ନାଁ ବିଜୟ ଯାଦବ। ସେ ଜୌନପୁରର ବାସିନ୍ଦା । ସେ ଜଣେ ଓକିଲ ଭାବେ କୋର୍ଟରେ ପହଞ୍ଚିଥିଲା ଓ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଗୁଳି ମାଡ଼ ଯୋଗୁଁ ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ହୋଇଥିଲା ।

ସଞ୍ଜୀବ ପଶ୍ଚିମ ୟୁପିର ଜଣେ କୁଖ୍ୟାତ ଅପରାଧୀ ଥିଲା । ବିଜେପି ନେତା ସ୍ୱର୍ଗତ ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ମଧ୍ୟ ଜିଭା ଅଭିଯୁକ୍ତ ଥିଲା। କୃଷ୍ଣାନନ୍ଦ ରାୟହତ୍ୟା ମାମଲାରେ ସଞ୍ଜୀବର ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ସଞ୍ଜୀବର ନାଁରେ ଅନେକ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ମାମଲା ମଧ୍ୟ ରହିଛି । ସଞ୍ଜୀବ ପୂର୍ବରୁ କମ୍ପାଉଣ୍ଡର ଭାବେ କାମ କରୁଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ଡାହାଣ ହାତ ଓ ସାର୍ପ ସୁଟର ଥିଲା । ଏକ ଅପରାଧିକ ମାମଲାରେ ତାକୁ କୋର୍ଟ ଅଣାଯାଇଥିଲା ।

ପୋଲିସ ରେକର୍ଡ ମୁତାବକ ସଂଜୀବ ମାହେଶ୍ୱରୀ ଓରଫ ଜୀବା ଉପରେ ୨୪ରୁ ଅଧିକ ମାମଲା ଚାଲିଥିଲା । ଏହି ମାମଲା ମଧ୍ୟରୁ ୧୭ ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହାସହ ଜୀବା ଗ୍ୟାଙ୍ଗରେ ୩୫ରୁ ଅଧିକ ସଦସ୍ୟ ରହିଛନ୍ତି । ସଂଜୀବ ଉପରେ ଜେଲରେ ଥାଇ ଗ୍ୟାଙ୍ଗକୁ ଅପରେଟ କରିବାର ମାମଲା ମଧ୍ୟ ରହିଛି । କିଛିଦିନ ତଳେ ପ୍ରଶାସନ ତରଫରୁ ସଂଜୀବର ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା ।