ବିହାରର ସାରଣ ଜିଲ୍ଲାରେ ଏକ କାର୍ୟ୍ୟକ୍ରମ ବେଳେ ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଷ୍ଟେଜ୍ରେ ପରଫର୍ମାନ୍ସ କରୁଥିବା ସମୟରେ କେହି ଜଣେ ତାଙ୍କ ଉପରକୁ ଗୁଳି କରିଥିଲେ। ନିଶାଙ୍କ ବାମ ପଟ ଗୋଡ଼ରେ ଗୁଳି ବାଜିଛି।
ମିଳିଥିବା ଖବର ଅନୁସାରେ, ସେଦୁଆର ଗାଁର ବୀରେନ୍ଦ୍ର ସିଂଙ୍କ ଘରେ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟ ପରଫର୍ମାନ୍ସ କରୁଥିଲେ। ଏହି ସମୟରେ ଗାଁର ଜଣେ ଯୁବକ ପବନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାରି ଭିତରେ ଗାୟିକା ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଆହତ ଗାୟିକାଙ୍କୁ ତୁରନ୍ତ ପାଟନାର ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ନିଶାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ହସ୍ପିଟାଲରେ ବର୍ତ୍ତମାନ ନିଶାଙ୍କର ଚିକିତ୍ସା ଚାଲିଛି।