ନୂଆଦିଲ୍ଲୀ: ବିଶ୍ୱର ୧ନଂ ଧନୀ ବ୍ୟକ୍ତି ତଥା ସ୍ପେଶଏକ୍ସ ଓ ଟେସଲାର ସିଇଓ ଏଲନ ମସ୍କଙ୍କ ରସିକ ପଣିଆକୁ ନେଇ ଆସିଛି ସାଂଘାତିକ ରିପୋର୍ଟ । ୨୦୧୬ରେ ତାଙ୍କ କମ୍ପାନୀର ଗୋଟିଏ ବିମାନ ମଧ୍ୟରେ ଜଣେ ଏୟାର ହୋଷ୍ଟେସଙ୍କୁ ମାସେଜ କରିବା ପାଇଁ ଡାକିବା ସହ ଯୌନ ନିର୍ଯାତନା ଦେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାରେ ମୁହଁ ନଖୋଲିବାକୁ ସଂପୃକ୍ତ ମହିଳାଙ୍କୁ ମସ୍କ ତାଙ୍କ କମ୍ପାନୀ ପକ୍ଷରୁ ୨,୫୦,୦୦୦ ଡଲାର ଦେଇଥିଲେ । ସୂଚନାନୁସାରେ, ମସ୍କଙ୍କ କର୍ପୋରେଟ ଜେଟ ସ୍ପେଶଏକ୍ସରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିଲେ । ୨୦୧୬ରେ ମସ୍କ ଯେଉଁ ବିମାନରେ ଯାଉଥିଲେ, ସେଥିରେ ସେହି ମହିଳା କାମ କରୁଥିଲେ । ଏଲନ୍ ମସ୍କ ସେହି ମହିଳାଙ୍କୁ ଡାକି ମାସେଜ କରିବାକୁ କହିବା ସହିତ ଅଶ୍ଲିଳ ବ୍ୟବହାର କରିଥିଲେ ।
ସଂପୃକ୍ତ ପୀଡିତା ଏନେଇ ଅଭିଯୋଗ କରିବା ପରେ କେହି ବିଶ୍ୱାସ କରିନଥିଲେ । କିନ୍ତୁ ତାଙ୍କର ଜଣେ ବନ୍ଧୁ ସମସ୍ତ ଘଟଣାରେ ସାକ୍ଷୀ ପଡିବା ସହ ମସ୍କଙ୍କ ବିରୋଧରେ କମ୍ପାନୀରେ ଅଭିଯୋଗ କରିଥିଲେ । ଜଣେ ଆଟେଣ୍ଡାଣ୍ଟ ଭାବେ ଚାକିରି ପାଇଥିଲେ ବି ବିମାନରେ କାର୍ଯ୍ୟ କରିବା ପାଇଁ ସଂପୃକ୍ତ ମହିଳାଙ୍କୁ ଲାଇସେନ୍ସ ମିଳିଥିଲା । ମସ୍କଙ୍କ ଏପରି ବ୍ୟବହାର ସମ୍ପର୍କରେ ସେ ଗୋଟିଏ ଘୋଷଣାପତ୍ର ଦେଇଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରାୟ ୨ବର୍ଷ ବିବାଦ ଲାଗି ରହିଥିଲା । ଶେଷରେ ମୁହଁ ବନ୍ଦ ରଖିବା ପାଇଁ ସ୍ପେଶ ଏକ୍ସ କମ୍ପାନୀ ସଂପୃକ୍ତ ମହିଳାଙ୍କୁ ୨,୫୦,୦୦୦ ଡଲାର ଦେଇଥିବା ବିଜିନେଓ ଇନ୍ସାଇଡରରେ ରିପୋର୍ଟ ପ୍ରକାଶ ପାଇଛି ।