କୁହୁଡି ଯୋଗୁ ସିରିଜ ଦୁର୍ଘଟଣା

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ୱରେ କୁହୁଡ଼ି ପାଇଁ ପ୍ରାୟ ୨୦ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ଅଧିକାରୀ ଅଛନ୍ତି । କୁହୁଡ଼ି ପାଇଁ ୨୦ରୁ ଅଧିକ କାର୍ ପିଟି ହୋଇଥିବା ବେଳେ ଏଥିରେ ୧୫ରୁ ୨୦ ଜଣ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି । ଭୋର୍ ସମୟରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ଖୁବ୍ କମ୍ ରହୁଛି । ଫଳରେ ଦୁର୍ଘଟଣା ମାତ୍ରା ବଢ଼ୁଛି । ସୋମବାର ପ୍ରଥମେ ୨ଟି ଟ୍ରକ୍ ପରସ୍ପରକୁ ଧକା ଦେଇଥିଲେ । ପଛରୁ ଫଳ ନେଇ ଆସୁଥିବା ଏକ ଟ୍ରକ୍ ମଧ୍ୟ ଧକା ଦେଇଥିଲା । ଫଳ ଟ୍ରକ୍‌ଟି ଧକା ଦେଇ ଓଲଟି ପଡ଼ିବା ଫଳରେ ସ୍ଥିତି ବିଗିଡ଼ି ଯାଇଥିଲା । ଆଉ ରାସ୍ତା ଖସଡ଼ା ହେବା ଫଳରେ ପଛରୁ ଆସୁଥିବା ୨୦ରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ୨୦ରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକାଧିକ ଆହତଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଫଳରେ ଏକ୍ସପ୍ରେସ୍ ୱେରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଛି ।