ପୁରୀ ଗୁଡ଼ିଆସାହିରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀ-: ପୁରୀରେ ଗଡିଲା ମୁଣ୍ଡ । ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଅଭିଯୋଗ । ପୁରୀ ଗୁଡ଼ିଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ପୁରୀରେ ପୋଲିସ ଛାଉଣୀ ଭିତରେ ଏପରି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି ।

ସୂଚନା ମୁତାବକ, ମୃତକ ଜଗନ୍ନାଥ ଦୀକ୍ଷିତ ଆଜି ଶ୍ରୀମନ୍ଦିରକୁ ନିଜ ସେବା ପାଇଁ ଯାଇଥିଲେ । ସେ ଫେରିବା ପରେ ଏହି ଘଟଣା ଘଟିଛି । ହେଲେ କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାହା କିଛି ସ୍ପଷ୍ଟ ହୋଇନାହିଁ । ଟାଉନ୍ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରୁଛନ୍ତି । ଜଗନ୍ନାଥଙ୍କ ମରଶରୀର ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରୁ ମିଳିଛି । ତେବେ ଜଗନ୍ନାଥ ଦିକ୍ଷୀତ ଆଜି ଗୁଡ଼ିଆସାହିର ବାସିନ୍ଦା ନାରଣ ପାଟଯୋଶୀଙ୍କ ଘରକୁ ଯାଇଥିଲେ । କୁହାଯାଉଛି ନିଜ ଟଙ୍କା ମାଗିବାକୁ ଜଗନ୍ନାଥ ଦିକ୍ଷୀତ ସେଠାକୁ ଯାଇଥିଲେ । ସେଠାରେ ଟଙ୍କା କାରବାରକୁ ନେଇ ଝଗଡ଼ା ଓ ପରେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣା ପରେ ଅଭିଯୁକ୍ତ ନାରଣ ପାଟଯୋଶି ଫେରାର ହୋଇ ଯାଇଛି । ନାରଣ ନିଜ ଘର ଆଗରେ ମୃତଦେହକୁ ପକାଇ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି । ପୋଲିସ ଏନେଇ ତଦନ୍ତ କରୁଛି । ତେବେ ମୃତକ ଜଗନ୍ନାଥ ଦୀକ୍ଷିତଙ୍କ ଶରୀରରେ ରକ୍ତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, ଏହି ହତ୍ୟାକାଣ୍ଡ ବ୍ୟକ୍ତିଗତ ଶତୃତାରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଆଗକୁ ଅଧିକ ତଦନ୍ତ ହେଲେ ଘଟଣାର ସତ୍ୟତା ସାମ୍ନାକୁ ଆସିବ । ଅଭିଯୁକ୍ତକୁ ଧରିବା ପାଇଁ ଆମ ଚେଷ୍ଟା ଚାଲିଛି ।