ଭୋପାଳ: ଚିତାବାଘ ସହ ଲୋକଙ୍କ ସେଲଫି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସୋନକାଚରେ । ମଙ୍ଗଳବାର ଅପରାହ୍ନରେ କାଳୀ ସିନ୍ଧ ନଦୀ କୂଳରେ ଚିତାବାଘ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ଏକ ଚିତାବାଘ ଠିକ୍ ଭାବେ ଚାଲିପାରୁନଥିବାବେଳେ ନିସ୍ତେଜ ହୋଇ ପଡ଼ିରହିଥିଲା। ଆଉ ଏତିକି ବେଳେ ଲୋକେ ଆସି ବାଘ ସହ ସେଲଫି ନେଉଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ବାଘର ଚିକିତ୍ସା ବଦଳରେ ଲୋକମାନେ ବାଘକୁ ଚଲାଇଥିଲେ । ଆଉ କେତେକ ଲୋକ ବାଘ ଉପରେ ବସିବା ଲାଗି ବି ଉଦ୍ୟମ କରିଥିଲେ । ତେବେ ବାଘଟି ସୋନକାଚ ଅନ୍ତର୍ଗତ ଦେବାସ ଜିଲ୍ଲାର ଏକଲେରା ମାତାଜୀ ଜଙ୍ଗଲର କାଳି ସିନ୍ଧ ନଦୀ କୂଳରେ ପଡିରହିଥିଲା । ଏହି ଖବର ଜଣାପଡିବା ପରେ ଉଜ୍ଜୟିନୀରୁ ଜଙ୍ଗଲ ବିଭାଗର ଏକ ରେସ୍କ୍ୟୁ ଟିମ୍ ସେଠାରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିଲେ । ବାଘଟିକୁ ଇନ୍ଦୋର ଚିଡିଆଖାନାକୁ ନିଆଯାଇ ସେଠାରେ ତା’ର ଚିକିତ୍ସା କରାଯାଉଛି ।