ସିକନ୍ଦରାବାଦ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ, ଚାଲିଗଲା ୬ ଜୀବନ

ସିକନ୍ଦରାବାଦ : ହାଇଦ୍ରାବାଦ ସିକନ୍ଦରାବାଦରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଚାଲିଯାଇଛି ୬ ଜୀବନ । ସିକନ୍ଦାରାବାଦର ବହୁ ପୁରାତନ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା । ଫଳରେ କମ୍ପେ୍ଲକ୍ସରେ ଥିବା ଲୋକମାନେ ନିଆଁରେ ଫସିଯାଇଥିଲେ ।
ମିଳିଥିବା ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ ହଠାତ୍ ନିଆଁ ଲାଗିଯାଇଥିଲା । ସେହି ବିଲ୍ଡିଂରେ ଅନେକ ଅଫିସ ଥିବାବେଳେ ଅନେକ ଲୋକ ମଧ୍ୟ ରହୁଥିଲେ ଯାହାଫଳରେ ସମସ୍ତେ ନିଆଁରେ ଫସିଯାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।
କିନ୍ତୁ ସେତେବେଳକୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । କାରଣ ଏହି ୬ ଜଣ ନିଆଁରୁ ବର୍ତ୍ତିବା ପାଇଁ ନିଜକୁ ବାଥରୁମ୍ ରେ ବନ୍ଦ କରି ଦେଇଥିଲେ । ଫଳରେ ନିଆଁର ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ୬ ଜଣ ହେଉଛନ୍ତି ତେଲେଙ୍ଗାନା ୱାରାଙ୍ଗାଲ୍ ଓ ଖମ୍ମାମ୍ ଅଞ୍ଚଳର ପ୍ରମିଳା,ଭେନିଲା,ତ୍ରିବେଣୀ, ଶିବ, ଶ୍ରାବଣୀ । ସମସ୍ତ ମୃତକଙ୍କ ବୟସ ୨୫ ବର୍ଷ ଭିତରେ ବୋଲି ଅନୁମାନ କରାଯାଉଛି । ଅନେକ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।