ରାଜଧାନୀରେ ଅତ୍ୟାଧିକ ବାୟୁ ପ୍ରଦୂଷଣ ପାଇଁ ଦୁଇ ଦିନ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ଦିନକୁ ଦିନ ବାୟୁ ସ୍ତର ଖରାପ ହେବାରେ ଲାଗିଛି । ତେଣୁ ରାଜଧାନୀ ଦିଲ୍ଲୀର ପରିସ୍ଥିତି ଜଟିଳ ହେବାରେ ଲାଗିଛି ।ଭୟଙ୍କର ବାୟୁ ପ୍ରଦୂଷଣ ହେତୁ ସଭିଏଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତକାଲି ଦିଲ୍ଲୀର ଗୁଣବତ୍ତା ମାନ ୪୦୦ ସ୍ତର ଟପିଛି । ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡିର ଭ୍ରମ ସୃଷ୍ଟି କରିଛି । ଏଭଳି ପରସ୍ଥିତିକୁ ଦେଖି ଆଗକୁ ଆହୁରି ସ୍ଥାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ବାୟୁ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର । ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି। ଅନ୍ଲାଇନରେ ପାଠପଢ଼ା ଲାଗି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ସରକାର ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି। କେବଳ ନିର୍ମାଣ କାର୍ୟ୍ୟ ନୁହେଁ, ଭଙ୍ଗାରୁଜା କାର୍ଯ୍ୟ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଥିସହିତ ଜାତୀୟ ରାଜଧାନୀ ଭିତରକୁ ହାଲ୍କା ବାଣିଜ୍ୟିକ ଯାନ ଏବଂ ଡିଜେଲ୍ ଟ୍ରକ ପ୍ରବେଶକୁ ବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଦିଲ୍ଲୀର ସମସ୍ତ ସ୍ଥାନରେ ଧୂଆଁ ଓ ଘନ କୁହୁଡି ଭଳି ଆସ୍ତରଣ ରହିଛି। ଭିଜିବିଲିଟି କମିଥିବା ସହ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଛି।