ଦିଲ୍ଲୀ ୟୁନିଭରସିଟି ଛାତ୍ରଛାତ୍ରୀ ଏଣିକି ମହାତ୍ମା ଗାନ୍ଧୀଙ୍କ ବଦଳରେ ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ବିଷୟରେ ପାଠ ପଢ଼ିବେ । ଏବେ ୟୁନିଭରସିଟିର ଯୁକ୍ତ ୩ ପଲଟିକାଲ ସାଇନ୍ସ ପିଲାଙ୍କୁ ସବରକରଙ୍କ ବିଷୟରେ ଦିଆଯିବ ଜ୍ଞାନ । ଏଣିକି ଯୁକ୍ତ ୩ ର ପଞ୍ଚମ ସେମିଷ୍ଟାରରେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଥିବା ବେଳେ ସିଲାବସରେ ତାହା ବଦଳରେ ସବରକରଙ୍କୁ ମିଳିଛି ସ୍ଥାନ । ଫଳରେ ଗାନ୍ଧିଙ୍କ ବିଷୟକୁ ସପ୍ତମ ସେମିଷ୍ଟାରଙ୍କୁ ଠେଲି ଦିଆଯାଇଛି। ଯାହାକୁ ବହୁ ଶିକ୍ଷାବିତ ନାପସନ୍ଦ କରିବା ସହ ଖୁବ୍ ସମାଲୋଚନା କରିଛନ୍ତି।
ଏନେଇ ଆଲୋକ ରଞ୍ଜନ ପାଣ୍ଡେ ନାମକ ଶିକ୍ଷାବିତ କହିଛନ୍ତି, ଗାନ୍ଧିଜୀଙ୍କୁ ଏବେ ସପ୍ତମ ସେମିଷ୍ଟାରକୁ ଠେଲି ଦିଆଗଲା। ସବରକରଙ୍କ ବିଷୟରେ ପାଠ ପଢ଼ାଇବାକୁ କେହି ମନା କରୁ ନ ଥିବା ବେଳେ ଏଥିପାଇଁ ଗାନ୍ଧିଜୀଙ୍କ ବଳିଦାନ ଦିଆଯାଇଛି। ଏହାକୁ ଆମେ ଘୋର ବିରୋଧ କରୁଛୁ। ଜାତିର ପିତା ମହାତ୍ମା ଗାନ୍ଧି ଉଭୟ ସବରକର ଓ ଆମ୍ବେଦକରଙ୍କ ପୂର୍ବରୁ ଆସିଥିବାରୁ ପିଲାମାନେ ପ୍ରଥମେ ତାଙ୍କ ବିଷୟରେ ଜାଣିବା ଦରକାର।
ନୂଆ ସିଲାବସ୍ ଅନୁଯାୟୀ, ସ୍ଥାନ ପାଇଥିବା ସବରକରଙ୍କ ପାଠକୁ ବିରୋଧ କରୁ ନ ଥିବା ବେଳେ ମହାତ୍ମା ଗାନ୍ଧିଙ୍କ ଚାପ୍ଟର ବାହାର କରାଯିବାକୁ ନାପସନ୍ଦ କରିଛନ୍ତି। ଉକ୍ତ ସିଲାବସ୍ରେ କେବଳ ସବରକରଙ୍କ ସମ୍ପର୍କରେ ଉଲ୍ଲେଖ ଅଛି। ଏହାକୁ ବହୁ ଶିକ୍ଷାବିତ ତୀବ୍ର ସମାଲୋଚନା କରିଛନ୍ତି। ଜାତୀୟ ଶିକ୍ଷ ନୀତି ଅନୁଯାୟୀ ଡିୟୁ ୟୁନିଭରସିଟି ଏକ ୪ ବର୍ଷିଆ କାର୍ୟ୍ୟକ୍ରମ ଗ୍ରହଣ କରିଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ୩ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ନଚେତ ୪ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ କରିବାକୁ ଅନୁମତି ମିଳିବ । ଫଳରେ ଯେଉଁମାନେ ୩ ବର୍ଷୀୟା କୋର୍ସ ଚୟନ କରିବେ ସେମାନେ ସପ୍ତମ ସେମିଷ୍ଟାରରେ ଥିବା ଗାନ୍ଧିଜୀଙ୍କ ବିଷୟରେ ଜାଣିବାରୁ ବଞ୍ଚିତ ହେବେ।