ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ । ପତ୍ରା ଚଅଲ୍ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମଞ୍ଜୁର ହୋଇଛି । କିଛି ମାସ ପୂର୍ବେ ୧.୦୩୪ କୋଟି ଟଙ୍କାର ପତ୍ରା ଚଅଲ୍ ଜମି ଦୁର୍ନୀତି ମାମଲାରେ ୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଜାମିନ ବିନିମୟରେ ଅଦାଲତ ଉଭୟଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଁଏ ମୁଚାଲିକା ବା ‘ବେଲ୍ ବଣ୍ଡ୍’ କରିଛନ୍ତି । କିନ୍ତୁ, ଏହି ଜାମିନ ଆଦେଶ କାର୍ୟ୍ୟକାରିତା ଉପରେ ଅତିରିକ୍ତ ସଲିସିଟର୍ ଜେନେରାଲ୍ ସ୍ବଳ୍ପ ସମୟ ନିମନ୍ତେ ରହିତାଦେଶ ପାଇଁ ଆବେଦନ କରିଛନ୍ତି ।
ଯାହାଦ୍ବାରା ପ୍ରବର୍ତ୍ତନ ନିର୍ଦେଶାଳୟ ମୁମ୍ବାଇର ‘ପିଏମ୍ଏଲ୍ଏ’ ଅଦାଲତଙ୍କ ଆଦେଶ ବିରୋଧରେ ଉଚ୍ଚତର ଅଦାଲତରେ ଆବେଦନ କରିପାରିବ । ଏ ସଂକ୍ରାନ୍ତରେ ଆଉ ଏକ ଆଦେଶ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ଜାମିନ ଆବେଦନରେ ରାଉତ ଉଲ୍ଲେଖ କରିଥିଲେ କି, ତାଙ୍କ ବିରୋଧରେ ଲାଗୁ ହୋଇଥିବା ମାମଲା ହେଉଛି କ୍ଷମତା ଅପବ୍ୟବହାରର ଏବଂ ରାଜନୈତିକ ଆକ୍ରୋଶର ନିଖୁଣ ଦୃଷ୍ଟାନ୍ତ । ସମ୍ପ୍ରତି ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଓ ତାଙ୍କୁ ମୁମ୍ବାଇସ୍ଥି ଅର୍ଥର୍ ରୋଡ୍ ଜେଲ୍ ରେ ରଖାଯାଇଛି ।