(ୟୁକ୍ରେନ) : ଥମିବାର ନାଁ ଧରୁନି ୟୁକ୍ରେନ-ରୁଷ ଯୁଦ୍ଧ । ୟୁକ୍ରେନର ବନ୍ଦରନଗରୀ ଓଡେଶାର ଏକ ଆବାସିକ ଅଟ୍ଟାଳିକା ଓ ନିକଟରେ ଥିବା ଏକ ରିସୋର୍ଟ ଉପରେ ରୁଷ ସୈନ୍ୟମାନେ ଶୁକ୍ରବାର ମିସାଇଲ ମାଡ଼ କରିଛନ୍ତି । ଏଥିରେ ୨ ପିଲାଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି । ଓଡେଶା ଠାରୁ ଦକ୍ଷିଣ ପଶ୍ଚିମରେ ପ୍ରାୟ ୫୦ କି.ମି. ଦୂରରେ ଏହି ସହର ଅବସ୍ଥିତ ।କୃଷ୍ଣ ସାଗରରୁ ରୁଷର ଯୁଦ୍ଧବିମାନରୁ ଲଗାତାର ଭାବେ ୩ଟି ମିସାଇଲ ଆକ୍ରମଣ କରାଯାଇଥିଲା । ସେଥରୁ ଦୁଇଟି ମିସାଇଲ ଏକ ବହୁତଳ ଅଟ୍ଟାଳିକା ଉପରେ ପଡିଥିଲା ବେଳେ ନିକଟରେ ଥିବା ଏକ ରସୋର୍ଟ ଉପରେ ଅନ୍ୟ ଏକ ମିସାଇଲ ପଡିଛି ।
ଫଳରେ ଉକ୍ତ ଅଟ୍ଟାଳିକାର ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୨ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୬ ଜଣ ପିଲାଙ୍କ ସମେତ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ମିସାଇଲ ମାଡ଼ ବେଳେ ସେହି ଅଟ୍ଟାଳିକାରେ ପ୍ରାୟ ୧୫୦ ଜଣ ନାଗରିକ ରହୁଥିଲେ । ଅନ୍ୟମାନେ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ।
ସେପଟେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ସେ ସ୍ପଷ୍ଟ କରିଦେଇଛନ୍ତି କି ୟୁକ୍ରେନ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଏଭଳି ଆକ୍ରମଣ ଜାରି ରହିବ । ରୁଷୀ ସେନା ପକ୍ଷରୁ ଗତକାଲି ରାତିରେ ୟୁକ୍ରେନର ଚର୍ନିହିବ, ଖାରକିଭ ଓ ମିକୋଲେଭ ଆଦି ସହର ଉପରେ ପ୍ରବଳ ଗୋଳାମାଡ଼ କରାଯାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି ।