ଆହାତ ସୈନିକଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଉଛି ଋଷୀୟ ସେନା…

ଆଶାବାଡି ଧରି ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ସୈନିକ । ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏପରି ଖବର ଆସିଛି ଋଷରୁ । ୟୁକ୍ରେନ ସହିତ ଯୁଦ୍ଧରେ ଋଷୀୟ ସେନା ଆହାତ ସୈନିକ ମାନଙ୍କୁ ଆଶାବାଡି ସାହାର୍ଯ୍ୟରେ ଯୁଦ୍ଧରେ ଆଗ ଧାଡିକୁ ପଠାଉଥିବା ଜଣାପଡିଛି । ସିଏନଏନ ଏହାର ଏକ ରିପୋର୍ଟରେ ପ୍ରାପ୍ତ ଭିଡିଓ ଏବଂ ବିବୃତ୍ତିକୁ ଉଦ୍ଧୃତ କରି ଏହି ସୂଚନା ପ୍ରକାଶ କରିଛି। କୁହାଯାଇଛି ଯେ ରୁଷ ସେନା ବଢ଼ୁଥିବା ମାନବସମ୍ବଳ ସମସ୍ୟାର ସମ୍ମୁଖୀନ ହେଉଛି। ୟୁକ୍ରେନୀୟ ଡ୍ରୋନ୍ ଅପରେଟର ଏବଂ ରୁଷିଆନ୍ ସୈନ୍ୟମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫ୍ରଣ୍ଟ-ଲାଇନ୍ ଫୁଟେଜ୍‌ରେ ଯୁଦ୍ଧ କ୍ଷେତ୍ରରେ ସୈନିକ ଆଶାବାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେତେକଙ୍କ ଗୋଡ଼ରେ ସ୍ପଷ୍ଟ ଆଘାତ ଲାଗିଥିବାର ଦେଖାଯାଉଛି। କେତେକଙ୍କ ଗୋଡ଼ରେ ଏବେ ବି ବ୍ୟାଣ୍ଡେଜରେ ବନ୍ଧାଥିବା ଦେଖାଯାଇଛି।


ସେମାନଙ୍କୁ ୟୁକ୍ରେନୀୟ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା। ରିପୋର୍ଟ ଅନୁସାରେ, ଜଣେ ପାଶ୍ଚାତ୍ୟ ଅଧିକାରୀ କହିଛନ୍ତି, ରୁଷିଆ ସେନା ଆହତମାନଙ୍କୁ ପୁଣି ଯୁଦ୍ଧକୁ ପଠାଉଛି। ଆଶାବାଡ଼ିରେ ଧରିଥିବା ସୈନିକମାନଙ୍କୁ ଆଗ ଧାଡ଼ି ଯୁଦ୍ଧକୁ ଫେରାଇ ନିଆଯାଉଥିବାର ଏକ ଭିଡିଓରେ ଏହା ଦେଖିବାକୁ ମିଳୁଛି। ୟୁକ୍ରେନର ୫୯ତମ ବ୍ରିଗେଡ ଦ୍ୱାରା ଜାନୁଆରି ମାସର ଏକ ଡ୍ରୋନ୍ ଭିଡିଓ ପୋଷ୍ଟ କରାଯାଇଥିଲା, ଯାହା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୋକରୋଭସ୍କ ସହର ପାଖରେ ସକ୍ରିୟ ଅଛି। ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ରୁଷୀୟ ସୈନିକ ଆଶା ଧରି ଆଶ୍ରୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଭିଡିଓରେ ସେ ଧୀରେ ଧୀରେ ଚାଲୁଥିବାର ଦେଖାଯାଉଛି। ତାଙ୍କ ମୁଣ୍ଡ ଉପରେ ୟୁକ୍ରେନୀୟ ଡ୍ରୋନ୍‌ ଉଡି ବୁଲୁଛି। ଅନ୍ୟ ଭିଡିଓଗୁଡ଼ିକରେ ଆହତ ସୈନିକଙ୍କୁ ବଳପୂର୍ବକ ଆଗ ଧାଡ଼ି ଯୁଦ୍ଧକୁ ପଠାଯାଉଥିବା ଦେଖାଯାଉଛି। ଏକ ଭିଡିଓରେ ଚଣେ ଆହତ ସୈନିକଙ୍କୁ ଦେଖାଯାଉଛି, ତାଙ୍କୁ କ୍ରାସନୋଡାର ଅଞ୍ଚଳର ଦକ୍ଷିଣ ରୁଷିଆ ସହର ୟେସ୍କର ଏକ ସାମରିକ ହସ୍ପିଟାଲରୁ ୟୁନିଫର୍ମ ପିନ୍ଧା ସୈନ୍ୟମାନେ ଯୁଦ୍ଧ କରିବାକୁ ଟାଣି ନେଉଛନ୍ତି।


ଆହତ ସୈନିକ ଜଣକ କହୁଛନ୍ତି, ମୁଁ ଆହତ, ତୁମେ ଦେଖିପାରୁନାହଁ କି ?। ରିପୋର୍ଟ ଅନୁସାରେ, ଆହତ ସୈନିକ କହୁଛନ୍ତି, ଗତକାଲି ମୋର ଅସ୍ତ୍ରୋପଚାର ହୋଇଥିଲା, ଧିକ୍!” କ୍ୟାମେରା ଆଡ଼କୁ ମୁହଁ ଫେରାଇ ସେ ଆହୁରି କହିଛନ୍ତି, ମୁଁ ରୁଷିଆର ସମସ୍ତ ବାସିନ୍ଦାଙ୍କୁ ସମ୍ବୋଧିତ କରୁଛି ଏବଂ ମୁଁ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛି ଯେ, ରୁଷିଆନ ଫେଡେରେସନର ସଶସ୍ତ୍ର ବାହିନୀରେ ଆମର ଜଣେ ଯୋଗ୍ୟ ସୈନିକଙ୍କ ସହିତ କ’ଣ ଘଟୁଛି।

ତେବେ ଋଷ ୟୁକ୍ରେନ ଯୁଦ୍ଧକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଥମିବାର ନାଁ ନେଉନି । ଋଷ ଯୁଦ୍ଧ ସମାପ୍ତିର ନାଁ ଧରୁନ ଥିବା ବେଳେ ୟୁକ୍ରେନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଯୁଦ୍ଧରେ ଉଭୟ ଦେଶର ଅନେକ ସୈନିକ ତଥା ନିରୀହ ଲୋକଙ୍କର ପ୍ରାଣ ହାନୀ ଘଟିଲାଣି । ତଥାପି ନିଜ ନିଜ ଜିଦ୍ ରେ ଅଟଳ ଉଭୟ ଦେଶ ।