କାଲିଠାରୁ ଆରମ୍ଭ ହେବ ପଞ୍ଚୁକ, ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ

ପୁରୀ/ସଞ୍ଜୟ ମହାପାତ୍ର: ସରି ଆସୁଛି ମହାକାର୍ତିକ ବ୍ରତ । ଆସନ୍ତା କାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ପଞ୍ଚୁକ ପାଞ୍ଚଦିନ ଧରି ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହ ପଞ୍ଚତୀର୍ଥ ଓ ମହଦଧୀରେ ହବିଷ୍ୟାଳୀଙ୍କ ବୁଡ଼ ପକାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଆରଂଭ ହେବ ପବିତ୍ର ପଞ୍ଚୁକ ବ୍ରତ । ପଞ୍ଚକର ପ୍ରଥମ ଦିବସ ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଆଜି ଠାରୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିବା ବେଳେ ସମଗ୍ର ଶ୍ରୀକ୍ଷେତ୍ର ସମ୍ପୂର୍ଣ ଚଳଚଂଚଳ । କାର୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ଯେଉଁ ମାନେ ମାସକ ଯାକ କାର୍ତିକ ବ୍ରତ କରି ନ ଥାନ୍ତି ସେହିମାନେ ଏହି ପଂଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ପଂଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ପାଞ୍ଚଦିନ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ମୂଲ୍ୟବାନ ସ୍ଵର୍ଣ ଅଳଙ୍କାର , ପାଟ ବସ୍ତ୍ର ଏବଂ ପୁଷ୍ପ ମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ । ପଞ୍ଚକର ପ୍ରଥମ ଦିନ ଏକାଦଶୀ ତିଥି ରେ ଲକ୍ଷ୍ମୀ ନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କଚୁଡ ବେଶ , ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ , ଚତୁର୍ଦ୍ଦଶୀ ରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ଵା ସୁନାବେଶ ଅନୁଷ୍ଠିତ ହେବ । ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ସମସ୍ଥ ପଞ୍ଚ ପୁଷ୍କରିଣୀ ଓ ମହଦଧୀରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି । ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ଥ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ସେପଟେ ଗହଳିକୁ ଦେଖି ବରିଷ୍ଠ ନାଗରିକ, ହବିଷ୍ୟାଳି, ଦିବ୍ୟାଙ୍ଗ ଭକ୍ତ ମାନଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର । ବ୍ୟବସ୍ଥା କରାଯାଇଛି । ବେରିକେଡରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି । ସହାୟତା ପାଇଁ ସେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଭକ୍ତଙ୍କ ମୌଳିକ ଆବଶ୍ୟକତାକୁ ନଜରରେ ରଖି ଟଏଲେଟ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ପର୍ୟ୍ୟାୟରେ ଚାରୋଟି ଟଏଲେଟ କରାଯାଇଥିବା ବେଳେ ଏଥିରୁ ଦୁଇଟି ମହିଳା ମାନଙ୍କ ପାଇଁ ରହିଛି । ଶ୍ରୀମନ୍ଦିର କାର୍ୟ୍ୟାଳୟ ନିକଟରେ ଟଏଲେଟ ବସା ଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ସୂଚନା ଅଡିଓ ସିସ୍ଟମ୍ ମାଧ୍ୟମରେ ଭକ୍ତ ଦର୍ଶନାର୍ଥିଙ୍କ ନିକଟରେ ପହଞ୍ଚା ଯାଉଛି । ସୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାର ବେରିକେଡରେ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଅତିରିକ୍ତ ଏସପି, ଡିଏସପି, ଡିସି, ଏଡିସି, ଇନିସପେକ୍ଟର ଆଦି ବରିଷ୍ଠ ଅଧିକାରୀ ମାନେ ନିଜେ ଗହଳି ସମୟରେ ଉପସ୍ଥିତ ରହି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।