ବଦଳିଯିବ ପାକିସ୍ତାନର ଇତିହାସ-ଭୂଗୋଳ, ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି । ମନ୍ତ୍ରୀ କହିଥିଲେ କରାଚୀ ଯିବା ପାଇଁ ରାସ୍ତା ସାର୍ କ୍ରିକ୍ ଦେଇ ଯାଇଥାଏ । ଏହି ଅଞ୍ଚଳରେ ପାକିସ୍ତାନର ଯେକୌଣସି ଦୁଃସାହସିକ କାର୍ଯ୍ୟ ପଡୋଶୀ ଦେଶର ଇତିହାସ ଏବଂ ଭୂଗୋଳକୁ ପରିବର୍ତ୍ତନ କରିଦେବ। ଆଉ ରାଜନାଥଙ୍କ ଏହି ବୟାନ ପରେ ପାକିସ୍ତାନୀ ନୌସେନା ତରବରିଆ ଭାବରେ କରାଚୀ ବନ୍ଦର ସଂଲଗ୍ନ ଆରବ ସାଗରରେ କ୍ଷେପଣାସ୍ତ୍ର ମାଡ଼ ଅଭ୍ୟାସକୁ ନେଇ ଏକ ନୋଟିସ୍ ଜାରି କରିଛି। ଏକ ନୋଟିସ୍ ଜାରି କରି ପାକିସ୍ତାନୀ ନୌସେନା ଆସନ୍ତା ଅକ୍ଟୋବର ୯-୧୦ରେ କରାଚୀ ନିକଟସ୍ଥ ଆରବ ସାଗରରେ କ୍ଷେପଣାସ୍ତ୍ର ଏବଂ ବନ୍ଧୁକ ଗୁଳି ଚାଳନା ଅଭ୍ୟାସ କରିବ ବୋଲି ସୂଚନା ଦେଇଛି ।

ବିଜୟାଦଶମୀ ଅବସରରେ ରାଜନାଥ ସିଂହ ଗୁଜରାଟର ସାର୍ କ୍ରିକ୍ ଅଞ୍ଚଳ ପରିଦର୍ଶନ କରିଥିଲେ । ଆଉ ସେତେବେଳେ ମନ୍ତ୍ରୀ କହିଥିଲେ, ସ୍ୱାଧୀନତାର ୭୮ ବର୍ଷ ପରେ ସାର୍ କ୍ରିକ୍ ଅଞ୍ଚଳରେ ସୀମା ସମ୍ପର୍କରେ ପାକିସ୍ତାନ ପକ୍ଷରୁ ଏକ ବିବାଦ ଉଠାଯାଇଛି। ଭାରତ ଅନେକ ଥର ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି, କିନ୍ତୁ ପାକିସ୍ତାନର ଉଦ୍ଦେଶ୍ୟ ହିଁ ଖରାପ ଏବଂ ଅସ୍ପଷ୍ଟ । ସାର୍ କ୍ରିକ୍ ସଂଲଗ୍ନ ଅଞ୍ଚଳରେ ସାମରିକ ଭିତ୍ତିଭୂମିର ସମ୍ପ୍ରସାରଣ ଏହାର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରୁଛି ।

ରାଜନାଥ ସିଂହ କହିଛନ୍ତି, “ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବାହିନୀ (BSF) ଭାରତର ସୀମାକୁ ସତର୍କତାର ସହ ସୁରକ୍ଷା ଦେଉଛନ୍ତି। ଯଦି ପାକିସ୍ତାନ ସାର୍ କ୍ରିକ୍ ଅଞ୍ଚଳରେ କୌଣସି ଆକ୍ରମଣ କରିବାକୁ ସାହସ କରେ, ତେବେ ତାକୁ ଦୃଢ ଜବାବ ଦିଆଯିବ ଯାହା ପାକିସ୍ତାନର ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ।” ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାକିସ୍ତାନ ମନେ ରଖିବା ଉଚିତ ଯେ କରାଚୀକୁ ଯିବା ପାଇଁ ଗୋଟିଏ ରାସ୍ତା କ୍ରିକ୍ ଦେଇ ଯାଇଥାଏ।

ରାଜନାଥ ସିଂହ କହିଛନ୍ତି ଯେ, ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ଲେହରୁ ସାର୍ କ୍ରିକର ଏହି ଅଞ୍ଚଳକୁ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିବାକୁ ପ୍ରୟାସ କରିଥିଲା । ଯାହାକୁ ବିଫଳ ହୋଇଥିଲା । କିନ୍ତୁ ଭାରତୀୟ ସେନା ତାର ଜବାବରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ କରିଥିଲା ଏବଂ ବିଶ୍ୱକୁ ବାର୍ତ୍ତା ଦେଇଥିଲା ଯେ ଭାରତୀୟ ସେନା ଯେତେବେଳେ, ଯେଉଁଠାରେ ଏବଂ ଯେପରି ଚାହିଁବେ ପାକିସ୍ତାନକୁ ତାର ଉଚିତ ସ୍ଥାନ ଦେଖାଇ ପାରିବ । ଅପରେସନ ସିନ୍ଦୂର ସମୟରେ, କରାଚୀ ବନ୍ଦର ଉପରେ ଭାରତୀୟ ନୌସେନାର ସମ୍ଭାବ୍ୟ ଆକ୍ରମଣ ଭୟରେ ପାକିସ୍ତାନ ତୁର୍କୀର ସହାୟତା ପାଇଁ ଅନୁରୋଧ କରିଥିଲା। ଆଉ ପାକିସ୍ତାନ ଅନୁ୍ରୋଧ କ୍ରମେ ତୁର୍କୀ ନୌସେନା ପାକିସ୍ତାନକୁ ସହାୟତା କରିବା ପାଇଁ କରାଚୀ ବନ୍ଦରରେ ଏକ ଯୁଦ୍ଧଜାହାଜ ମୁତୟନ କରିଥିଲା।