ନବୀନଙ୍କ ଟିମରେ ମହିଳାଙ୍କୁ ସୁଯୋଗ: ରିତା ସାହୁଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି।ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ।  ତେବେ ଚଳିତ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ନବୀନଙ୍କ ଟିମରେ ମହିଳା ଚେହେରାଙ୍କୁ ଅଧିକ ସୁଯୋଗ ମିଳିଛି ।ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ର୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପୁର ବିଧାୟକ ରିତା ସାହୁ । ତାଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଦାୟିତ୍ୱ ମିଳିଛି ।

୨୦୧୯ରେ ସେ ବିଜେପୁରରୁ ଦ୍ୱିତୀୟ ଥର ବିଧାୟିକା ହୋଇଥିଲେ । ଏହା ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ପ୍ରଥମ ଥର ବିଜୟୀ ହୋଇ ସେ ବିଧାନସଭାକୁ ଆସିଥିଲେ । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ବିଜୟୀ ହେଇଥିଲେ ତେବେ ପରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପୁଣି ଥରେ ଜିତି ବିଧାୟିକା ହୋଇଥିଲେ ।

ସୂଚନା ଅନୁଯାଇ, ଶନିବାର ସମସ୍ତ ୨୦ ଜଣ ମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହୋଇ ସାରିଛି । ଏହା ପରଠୁ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳ ବଦଳ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟରେ ବିବାଦରେ ଥିବା ନେତାଙ୍କ କାରଣରୁ ସରକାରଙ୍କ ପ୍ରତିଷ୍ଠାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଶନିବାର ସମସ୍ତ ମନ୍ତ୍ରୀ ଉପ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ରବିବାର ନୂତନ ମନ୍ତ୍ରୀ ମାନେ ପୂର୍ବାହ୍ନ ୧୧ଟା ୪୫ରେ ଶପଥ ନେଇଥିଲେ ।