ନିଜ କୁକୁର ‘ନୋଭା’ ପାଇଁ ଆଇନଗତ ଜାଲରେ ଫସିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ : ପୁଣି ଥରେ ବିବାଦରେ ଫସିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଆଇନଗତ ଜାଲରେ ଫସାଇ ଦେଇଛି ତାଙ୍କ କୁକୁର । ନିଜ କୁକୁର ପାଇଁ ଏବେ ହଟହଟା ହେବା ସହ ପୋଲିସ୍ ତାଗିଦର ମଧ୍ୟ ଶିକାର ହୋଇଛନ୍ତି ଋଷି ସୁନକ ।

ଲଣ୍ଡନର ହାୟଡେ ପାର୍କରେ ସୁନକ ଓ ତାଙ୍କ ପରିବାର ସଦସ୍ୟ ନିଜ କୁକୁରକୁ ଛାଡି ଦେଇ ବିବାଦରେ ଫସିଛନ୍ତି । ନିୟମ ମୁତାବାକ କୁକୁର କିମ୍ବା କୌଣସି ଗୃହପାଳିତ ପଶୁଙ୍କୁ ପାର୍କରେ ଖୋଲା ଛାଡିପାରିବେ ନାହିଁ । କିନ୍ତୁ ସୁନକ ପରିବାର ଏହି ନିୟମର ଉଲ୍ଲଂଘନ କରି ନିଜ କୁକୁର ‘ନୋଭା’ ବେକରୁ ବେଲ୍ଟ ଖୋଲି ଦେଇଥିଲେ । ଫଳରେ କୁକୁରଟି ପାର୍କରେ ବୁଲିବାକୁ ଲାଗିଥିଲା । ସୁନକ ପରିବାରର କୁକୁର ପାର୍କରେ ଏଭଳି ଖୁଲମ ଖୁଲା ବୁଲୁଥିବାର ଦେଖି ଅନେକ ଏହାର ଭିଡିଓ କରିଥିଲେ,ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିପାଇଁ ତାଙ୍କୁ ପୋଲିସ୍ ତାଗିଦ୍ ର ଶିକାର ହେବାକୁ ପଡିଛି ।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁନକ ପରିବାର ନିଜ କୁକୁର ବେକରୁ ବେଲ୍ଟ ଖୋଲି ତାକୁ ପାର୍କରେ ବୁଲିବାର ଅନୁମତି ଦେଉଛନ୍ତି । ଏହା ଦେଖି ସେଠାରେ ଥିବା ଜଣେ ପୋଲିସ୍ କର୍ମଚାରୀ ସୁନକ ପରିବାରକୁ ତାଗିଦ୍ କରିବା ସହ ପାର୍କର ନିୟମ ବିଷୟରେ କହିଛନ୍ତିି ଏବଂ ତୁରନ୍ତ କୁକୁରକୁ ବାନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ତୁରନ୍ତ ସୁନକ ପରିବାର ନିଜ କୁକୁର ବେକରେ ବେଲ୍ଟ ବାନ୍ଧି ରଖିଛନ୍ତି । ତେବେ ଏହି ଘଟଣାରେ ପୋଲିସ୍ କେବଳ ସୁନକ ପରିବାରକୁ ତାଗିଦ କରି ଛାଡି ଦେଇଥିବା ସୂଚନା ମିଳିଛି । କିନ୍ତୁ ଭିଡିଓଟି କେବେର ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ନେଇ ସୁନକ ବିବାଦରେ ଫସିଥିଲେ । ଲକଡାଉନ ନିୟମ ଉଲ୍ଲଂଘନ କରି ବିବାଦରେ ଫସିବା ସହ କାର୍ ରେ ସିଟ୍ ବେଲ୍ଟ ନ ବାନ୍ଧି ଫାଇନ ମଧ୍ୟ ଦେଇଛନ୍ତି ।