ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତ କିଛି ଦିନ ତଳେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ମୁମ୍ବାଇ ଏୟାରଲିଫ୍ଟ ହସ୍ପିଟାଲ ଏବେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏବେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି । ତେବେ ପନ୍ତ ଦୁର୍ଘଟଣା ପରେ କେତେ ଦିନ ମୈଦାନରୁ ଦୂରେଇ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଡାକ୍ତର ମାନଙ୍କ କହିବାନୁସାରେ ତାଙ୍କୁ ଆହୁରି ବର୍ଷେ ସମୟ ଲାଗିବ । ଏପରି ସ୍ଥିତିରେ ସେ ନାଁ ଆଇପିଏଲ ଖେଳିପାରିବେ ନାଁହି । ଆଗକୁ ଆଗାମୀ ଦିନିକିଆ ବିଶ୍ୱକପ ହେବାକୁ ଥିବା ବେଳେ ରିଷଭ ମ୍ୟାଚ ଖେଳିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳୁଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପନ୍ତ ସୁସ୍ଥ ହୋଇ ମୈଦାନକୁ ଫେରିବାକୁ ୮ରୁ ୯ ମାସ ସମୟ ଲାଗିପାରେ । ତେଣୁ ଏହି ସମୟରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ । ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ରହିଥିବା ବେଳେ ଦିନିକିଆ ବିଶ୍ୱକପ ଓ ଏସିଆ କପ୍ ମଧ୍ୟ ରହିଛି । ତେଣୁ ଏସବୁ ମ୍ୟାଚ୍ ମିସ୍ କରିବେ ପନ୍ତ ।
ତେବେ ପନ୍ତଙ୍କ କ୍ଷତ କେତେ ଗମ୍ଭୀର ତାହା ଏମଆରଆଇ ରିପୋର୍ଟ ଆସିବା ପରେ ଜଣାପଡିବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏନେଇ ରିପୋର୍ଟ ମିଳିଯିବ । ଯେହେତୁ ପନ୍ତ ୱିକେଟ କିପର ଭାବେ ମୈଦାନକୁ ଓହ୍ଲାନ୍ତି ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ଆଉ କିଛି ମାସ ସମୟ ଲାଗିପାରେ ।
ପନ୍ତଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରୁଛନ୍ତି ପୂର୍ବରୁ ସେହି ଡାକ୍ତର ସଚିନ୍ ତେନ୍ଦୁଲକର, ଯୁବରାଜ ସିଂ, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କ ଚିକିତ୍ସା କରିଛନ୍ତି । ଗତ ୩୦ ଡିସେମ୍ବରରେ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ପନ୍ତଙ୍କ ଗାଡି ଡିଭାଇଡରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । କାରରେ ନିଆଁ ଲାଗି ଯାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ଋଷଭ ।