ବିଶ୍ୱକପ ଜିତିବା ପରେ ଡିଏସପି ହେଲେ ରିଚା ଘୋଷ, ରାଜ୍ୟ ସରକାର କଲେ ସମ୍ମାନିତ

ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଟିମ୍ ଇଣ୍ଡିଆ ବିଶ୍ବ ଚାମ୍ପିଅନ ହେବା ପରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ତରଫରୁ ୪୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଛି । ସେହିପରି ଭାରତୀୟ ଟିମକୁ ୫୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛି ବିସିସିଆଇ । ଭାରତୀୟ ମହିଳା କ୍ରିକେଟ ଟିମ୍ ଆଇସିସି ବିଶ୍ବକପ ଜିତିବା ପରେ ଟିମର ଖେଳାଳିଙ୍କୁ ଲଗାତାର ସମ୍ମାନିତ କରାଯାଉଛି । ଆଇସିସି ଏବଂ ବିସିସିଆଇ ତରଫରୁ ଜବରଦସ୍ତ ପୁରସ୍କାର ଦିଆଯାଉଛି । ପୁରସ୍କାର ଦିଆଯିବା ପରେ ରାଜ୍ୟ ସରକାର ମଧ୍ୟ ନିଜ ମାଟିର ସୁନା ଝିଅଙ୍କୁ ସମ୍ମାନିତ କରୁଛନ୍ତି । ଏପରି ସ୍ଥଳେ ପଶ୍ଚିମବଙ୍ଗ ସରକାର ତରଫରୁ ରିଚା ଘୋଷଙ୍କୁ ମଧ୍ୟ ଡିଏସପି ଭାବେ ଦାୟିତ୍ବ ଦିଆଯାଇଛି । ବିଶ୍ବକପ ୨୦୨୫ରେ ଟିମ୍ ଇଣ୍ଡିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୱିକେଟ କିପର ବ୍ୟାଟର ରିଚା ଘୋଷ ନିଜ ସହର ସିଲିଗୁଢିରେ ପହଞ୍ଚିବା ପରେ ଜୋରଦାର ସ୍ବାଗତ କରାଯାଇଥିଲା । ଏହାପରେ ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ସମ୍ମାନିତ କରି ପୁରସ୍କାର ଦେଇଥିଲା ।

କୋଲକତାର ଇଡେନ ଗାର୍ଡେନରେ ଆୟୋଜିତ ଏକ ଇଭେଣ୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ବର୍ଷୀୟ ରିଚାଙ୍କୁ ଡିଏସପି ରାଙ୍କରେ ନିଯୁକ୍ତ କରିଥିଲେ । ଏହାସହିତ ରାଜ୍ୟର ଦ୍ବିତୀୟ ସବୁଠାରୁ ବଡ଼ ସମ୍ମାନ ବଙ୍ଗ ଭୂଷଣରେ ମଧ୍ୟ ପୁରସ୍କୃତ କରିଥିଲେ । ଏହାସହ ମମତା ବାନାର୍ଜୀ ସୁନାର ଏକ ଚେନ୍ ରିଚାଙ୍କୁ ଦେଇଥିଲେ । ସିଏବି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଆସୋସିଏସନ ରିଚାଙ୍କୁ ୩୪ ଲକ୍ଷ ଟଙ୍କା ପୁରସ୍କାର ଭାବେ ପ୍ରଦାନ କରିଛନ୍ତି । ଏହାସହ ରିଚାଙ୍କୁ ସୁନାର ଏକ ବ୍ୟାଟ ଏବଂ ବଲ ମଧ୍ୟ ପ୍ରଦାନ କରାଯାଇଛି । ରିଚା ବିଶ୍ବକପରେ ୮ଟି ଇନିଂସରେ ୧୩୩ ଷ୍ଟ୍ରାଇକ ରେଟ ସହିତ ୨୩୫ ରନ୍ କରିଥିଲା । ଏହାଛଡା ମହିଳା ବିଶ୍ବକପରେ ସବୁଠାରୁ ଅଧିକ ୧୨ ଛକା ମାରିବାରେ ବିଶ୍ବ ରେକର୍ଡ କରିବା ସମକକ୍ଷ ହୋଇଛନ୍ତି ।