ସିସୋଦିଆଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯେତେବେଳେ ମନୀଷ ସିସୋଦିଆଙ୍କ ଶିକ୍ଷା କ୍ରାନ୍ତି ବିଷୟରେ କହୁଥିଲେ, ସେତେବେଳେ ତାଙ୍କ ଗଳା ରୁନ୍ଧି ହୋଇଯାଇଥିଲା ଏବଂ ଆଖି ଲାଲ ହୋଇଯାଇଥିଲା। ଅବଶ୍ୟ ସେ ନିଜକୁ ସମ୍ଭାଳି ପାଣି ପିଇଥିଲେ ଏବଂ ଆଗକୁ କହିବା ଆରମ୍ଭ କରିଥିଲେ।

ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଫେବୃଆରୀ ମାସରୁ ସିସୋଦିଆ ଜେଲରେ ଅଛନ୍ତି। ସେ ବାରମ୍ବାର ଜାମିନ ଆବେଦନ ପାଇଁ ନିବେଦନ କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ଆଶ୍ୱସ୍ତି ପାଇ ନାହାନ୍ତି। ସିସୋଦିଆ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ। ତାଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ସ୍କୁଲ ଉଦଘାଟନ କରୁଥିବାରୁ ନିଜ ଲୁହକୁ ଅଟକାଇ ପାରି ନଥିଲେ।
ସେ ଆଜି ନିଜ ଲୁହକୁ ପୋଛି କହିଛନ୍ତି, “ଆଜି ମନୀଷଜୀଙ୍କୁ ମୁଁ ବହୁତ ମିସ କରୁଛି। ସେ ଦିଲ୍ଲୀରେ ଏସବୁ ଆରମ୍ଭ କରିଥିଲେ। ପ୍ରତ୍ୟେକ ପିଲା ସବୁଠାରୁ ଭଲ ଶିକ୍ଷା କେମିତି ପାଇବ, ସେଇଟା ହିଁ ଥିଲା ତାଙ୍କର ସ୍ୱପ୍ନ। ସେ ଏସବୁ ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଦିଲ୍ଲୀରେ ଭଲ ସ୍କୁଲ ନିର୍ମାଣ କରିବା ସହ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରୁଥିବାରୁ ଆଜି ଜେଲରେ ଅଛନ୍ତି।”