ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ଘଟିଥିବା କାର ବୋମା ବିସ୍ଫୋରଣ ମାମଲାକୁ ନେଇ ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ୍-ହକ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣରେ ପାକିସ୍ତାନର ସିଧାସଳଖ ଭୂମିକା ଥିଲା, ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ପିଓକେ ବିଧାନସଭାରେ ଭାଷଣ ଦେଇ ଅନୱର-ଉଲ୍-ହକ୍ କହିଛନ୍ତି ଯେ, ‘ଯଦି ତୁମେ ବଲୁଚିସ୍ତାନକୁ ରକ୍ତରେ ଲାଲ କରିବ, ତେବେ ଆମେ ଲାଲକିଲ୍ଲାରୁ କାଶ୍ମୀର ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବୁ। ଆଲ୍ଲାଙ୍କ ଦୟାରେ ଆମର ଜିହାଦୀମାନେ ଏଭଳି କରି ଦେଖାଇଛନ୍ତି, ଏବଂ ଏ ପର୍ଯ୍ୟନ୍ତ ଭାରତ ଶବ ଗଣନା କରିପାରିନାହିଁ।’ ହକ୍ଙ୍କ ଏଭଳି ଉତ୍ତେଜକ ବୟାନ ଓ ସ୍ବୀକାରୋକ୍ତିକୁ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ଏକ ବଳିଷ୍ଠ ପ୍ରମାଣ ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି।

ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଅନୱର-ଉଲ-ହକଙ୍କ ଦାବି ଉପରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ତଥାପି, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ “ପୂର୍ଣ୍ଣଙ୍ଗ ଯୁଦ୍ଧ” ହେବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଏହି ସମୟରେ, ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ମଧ୍ୟ କହିଛି ଯେ, ଆମ ସେନା ଏବେ ପୁରା ସତର୍କ ଅଛି। ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ତଦନ୍ତରୁ ଜଣାପଡିଛି ଯେ ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣ ଜୈଶ-ଏ-ମହମ୍ମଦ ସହିତ ସିଧାସଳଖ ଜଡିତ ଏକ ନେଟୱାର୍କ ଦ୍ୱାରା ରଚିତ ଯୋଜନାର ଏକ ଅଂଶ ଥିଲା। ହୁଣ୍ଡାଇ ଆଇ୨୦ କାରଟି ଆମୋନିୟମ୍ ନାଇଟ୍ରେଟ୍-ଭିତ୍ତିକ ବିସ୍ଫୋରକରେ ଭର୍ତ୍ତି ହୋଇଥିଲା ଏବଂ ସମଗ୍ର ଷଡ଼ଯନ୍ତ୍ର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ , ଏହି ଆକ୍ରମଣ 10 ସଦସ୍ୟ ବିଶିଷ୍ଟ ଗୋଷ୍ଠୀ, “ଟେରର୍ ଡକ୍ଟର ସେଲ୍” ଦ୍ୱାରା ସଂଗଠିତ ହୋଇଥିଲା।