୨୨ କେଜି ଗଞ୍ଜେଇ ଖାଇ ସଫା କରିଦେଲେ ମୂଷାପଲ

ଚେନ୍ନାଇ: ମୂଷା ଯୋଗୁ ଦଣ୍ଡବିଧାନରୁ ବର୍ତ୍ତିଗଲେ ୨ ଅଭିଯୁକ୍ତ । ପ୍ରମାଣ ନଷ୍ଟ ହୋଇଯିବା ଫଳରେ ଜେଲରୁ ମୁକୁଳିଲେ ଅଭିଯୁକ୍ତ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ତାମିଲନାଡ଼ୁରେ । ୨୦୨୦ରେ ରାଜାଗୋପାଳ ଏବଂ ନାଗେଶ୍ୱରାକୁ ପୁଲିସ ଗିରଫ କରି ସେମାନଙ୍କ ପାଖରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲା । ହେଲେ ମୂଷାପଲ ସବୁତକ ଗଞ୍ଜେଇ ଖାଇ ସଫା କରିଦେଇଥିବା ଫଳରେ ପ୍ରମାଣ ଅଭାବରୁ ମୁକୁଳିଯାଇଛନ୍ତି ୨ ଅଭିଯୁକ୍ତ ।

ସୂଚନା ଅନୁସାରେ , ୩ ବର୍ଷ ତଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ଜବତ ହୋଇଥିବା ଗଞ୍ଜେଇକୁ ମାଲଖାନାରେ ଗଚ୍ଛିତ ରଖାଯାଇଥିଲା । ଚେନ୍ନାଇର ମରିନା ପୁଲିସ ରାଜାଗୋପାଳ ଏବଂ ନାଗେଶ୍ୱରା ବିରୋଧରେ ଚାର୍ଜସିଟ ଦାଖଲ କରି ସେମାନଙ୍କ ବିରୋଧରେ ନାର୍କୋଟିକ୍ସ ଆଣ୍ଡ ସାଇକୋଟ୍ରଫିକ୍ ସବଷ୍ଟାନ୍ସେସ୍ କୋର୍ଟରେ ମାମଲା ଚଳାଇଥିଲା । ଶୁଣାଣିବେଳେ ପୁଲିସ କୋର୍ଟରେ ମାତ୍ର ୫୦ ଗ୍ରାମ ଗଞ୍ଜେଇ ହିଁ ଦେଖାଇ ପାରିଥିଲା ଏବଂ ଆଉ ୫୦ ଗ୍ରାମ ଗଞ୍ଜେଇ ଫରେନ୍ସିକ ଲାବକୁ ପଠାଇଥିବା କହିଥିଲା । ବଳକା ୨୧.୯ କେଜି ଗଞ୍ଜେଇ କୁଆଡ଼େ ଗଲା କୋର୍ଟ ପଚାରିବାରୁ ମୂଷା ଖାଇଦେଇଥିବା ପୁଲିସ ଅଦାଲତରେ କହିଥିଲା । ଚାର୍ଜସିଟରେ ଦର୍ଶାଯାଇଥିବା ମାତ୍ରାରେ ଗଞ୍ଜେଇ ନ ଥିବାରୁ କୋର୍ଟ ରାଜାଗୋପାଳ ଏବଂ ନାଗେଶ୍ୱରାକୁ ଦୋଷମୁକ୍ତ କରିଥିଲେ ।