ପୁରୀ: ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ବାଲିଘାଟସ୍ଥିତ ଜାଗେଶ୍ୱରୀ ଲେନରେ ସୋମବାର ରଶ୍ମୀ ଆୟୁଷ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟସାଣୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ଏହାକୁ ଉଦଘାଟନ କରିଥିଲେ । ରଶ୍ମୀ ଆୟୁସ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଦିକନ୍ଦ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ଅତିଥିମାନେ ମେଡିକାଲର ଉଦ୍ଦେଶ୍ୟକୁ ପ୍ରଶଂସା କାରିବା ସହିତ ଏହାର ଅଧିକ ଉନ୍ନତି ପାଇଁ କାମନା କରିଥିଲେ । ପରିଚାଳନା ନିର୍ଦ୍ଦେଶକ ଡାକ୍ତର ବିଶ୍ୱାଳ କହିଥିଲେ ଯେ, ହସ୍ପିଟାଲର ମୂଳ ଉଦେଶ୍ୟ ହୋଉଛି ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନେ ଏଠାରେ ସମସ୍ତ ସ୍ୱାସ୍ଥ୍ୟସେବା ପାଇବା ସହ ଆର୍ଥିକ ଅନଗ୍ରସର,ଶ୍ରମିକ ଶ୍ରେଣୀ ତଥା ଜରୁରୀକାଳୀନ ସେବାରେ ନିୟୋଜିତ ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କୁ ଦେୟମୁକ୍ତ ସେବା ଯୋଗାଇଦିଆଯିବ ବୋଲି କହିଥିଲେ । ଏହି ଅବସରରେ ‘ଜଗନ୍ନାଥ ଓ ନିଶାମଣୀ’ ସ୍ୱାସ୍ଥ୍ୟକାର୍ଡର ଶୁଭ ଉନ୍ମୋଚନ କରାଯାଇଥିଲା । ଯେଉଁମାନେ ଗରିବ, ଯାହାଙ୍କର ସ୍ୱାସ୍ଥ୍ୟକାର୍ଡ ନାହିଁ ମାତ୍ର ସେମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇବାକୁ ଯୋଗ୍ୟ ସେମାନଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ସେହିପରି ଏକ ଉନ୍ନତମାନର ଚକ୍ଷୁ ଚିକିତ୍ସାଳୟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଠାରେ ସାରା ଭାରତର ରୋଗୀ ଚିକିତ୍ସିତ ହୋଇପାରିବେ । ତେବେ ବର୍ଷକ ଭିତରେ ଚକ୍ଷୁ ଚିକିତ୍ସାଳୟ ଖୋଲିବା ନେଇ ଆଶା ରଖିଛନ୍ତି ଶ୍ରୀ ବିଶ୍ୱାଳ ।