ଆଜି ରସଗୋଲା ଦିବସ; ଅଭିମାନିନୀ ପତ୍ନୀଙ୍କ ମାନଭଞ୍ଜନ କରିବେ କାଳିଆ ଠାକୁର

ଭୁବନେଶ୍ଵର: ସାରା ରାଜ୍ୟରେ ପାଳିତ ହୋଇଛି ପ୍ରିୟ ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଂଜନ କରିବା ପାଇଁ ରସଗୋଲା ଖୁଆଇବାର ବିଧି ରହିଛି । ଆଉ ଏହାକୁ ନେଇ ଏହି ଦିନକୁ ରସଗୋଲା ଦିବସ ପାଳନ କରାଯାଉଛି । ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିଥାନ୍ତି କାଳିଆ ସାଆନ୍ତ । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା କରାଯାଏ ।

ବର୍ଷ ବର୍ଷ ହେଲା ଚାଲି ଆସୁଛି ଏହି ପରମ୍ପରା । ଆଉ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଓଡ଼ିଶାର ପାରମ୍ପରିକ ମିଠା ହେଉଛି ରସଗୋଲା । ଘରେ ଘରେ ପର୍ବପର୍ବାଣୀରେ ଏହି ମିଠାର ବ୍ୟବହାର ହୁଏ । ଓଡ଼ିଶାର ରସଗୋଲାକୁ ଆହୁରି ପ୍ରସାର ପ୍ରଚାର କରିବା ପାଇଁ ରସଗୋଲା ଦିବସ ପାଳନ ହେଉଛି । ଭୁବନେଶ୍ୱର ଉପକଂଠ ପାହାଳର ମିଠା ବଜାରରେ ଧୁମଧାମରେ ପଳନ ହୋଇଛି ରସଗୋଲା ଦିବସ ।ଏହି ଦିନକୁ ପାଳନ ପାଇଁ ୨୦୧୫ ମସିହା ଜୁଲାଇ ୩୦ ତାରିଖ ନିଳାଦ୍ରୀ ବିଜେ ଦିନ ସୋଶାଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା।

ଏହାପରେ ୨୦୧୬ ମସିହାରୁ ପାଳିତ ହୋଇ ଆସୁଛି ରସଗୋଲା ଦିବସ। ରସଗୋଲା କାହାର ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆରମ୍ଭ ହୋଇଥିଲା ମିଠା ଯୁଦ୍ଧ। ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ ।  ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।