ରାମକୃଷ୍ଣଙ୍କୁ ପ୍ରାୟ ୪୫ ମିନିଟ୍‌ ଧରି ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ଭୁବନେଶ୍ୱର-: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ରାମକୃଷ୍ଣଙ୍କୁ ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ରାମକୃଷ୍ଣଙ୍କୁ ପ୍ରାୟ ୪୫ ମିନିଟ୍‌ ପଚରାଉଚରା କରାଯାଇଛି । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ନିଜ ପକ୍ଷ ରଖିବା ପରେ ରାମକୃଷ୍ଣ ଦାସମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ପଶ୍ଚିମବଙ୍ଗ ଦୀଘାରେ ହେଇଥିବା ନୂଆ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁ ଶ୍ରଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ କାଠ ନିର୍ମିତ ବିଗ୍ରହ  ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ଦାରୁର ବଳକା କାଠରେ ତିଆରି କରାଯାଇଛି । ଏହି କଥା ଶ୍ରୀମନ୍ଦିର ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସ ମହାପାତ୍ର ଏକ ବଙ୍ଗଳା ଟିଭି ଚ୍ୟାନେଲରେ କହିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହାର ତଦନ୍ତ ଆରମ୍ଭ କରିଥିଲେ । ଏହାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଡଗ୍ରାହୀ, ଛତିଶା ନିଯୋଗର ମହାନାୟକ, ତିନି ରଥର ମୁଖ୍ୟ ବିଶ୍ଵକର୍ମା ଉପସ୍ଥିତ ରହିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ । ତେବେ ଏନେଇ ରବିବାର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ମହାପାତ୍ରଙ୍କୁ ମଧ୍ୟ ପଚରା ଉଚରା ପାଇଁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂର୍ବାହ୍ନରେ ଉପସ୍ଥିତ ରହିବାକୁ ନୋଟିସ୍ ଦେଇଥିଲେ ।