ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତିକ ପରିସ୍ଥିତି ବଢ଼ିଛି । ବିଜେପି ପକ୍ଷରୁ ୧୬ ସେଟ୍ ନାମାଙ୍କନ ପତ୍ର କିଣାଯାଇଥିବାରୁ ରାଜନୀତିକ ମହଳରେ ଆଲୋଚନା ବଢିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ୪ ଜଣ ବିଜେପି ବିଧାୟକ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ୧୬ ସେଟ୍ ନାମାଙ୍କନ ପତ୍ର କିଣିଥିଲେ। ଦଳ ପକ୍ଷରୁ ଜଣେ ବିଧାୟକ ଦଳ ପ୍ରତିନିଧି ଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କଠାରୁ ୧୬ଟି ସେଟ୍ ଗ୍ରହଣ କରିଥିବା ସୂଚନା ମିଳିଛି।
ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ନାମାଙ୍କନ ପତ୍ର କିଣିଛନ୍ତି। ସଂସଦୀୟ ବୋର୍ଡର ଶେଷ ନିଷ୍ପତ୍ତି ପରେ ଅନୁଷ୍ଠାନିକ ଭାବେ ନାମାଙ୍କନ ଦାଖଲ ହେବ। ଦଳ ପାଖରେ ଗଣିତ ଅନୁଯାୟୀ ଦୁଇଟି ଆସନ ଜିତିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ରହିଥିବା ସତ୍ତ୍ୱେ ୧୬ ସେଟ୍ ଫର୍ମ କିଣାଯିବା ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି। କେହି କହୁଛନ୍ତି ଯେ ଦଳ ୩ ନୁହେଁ, ୪ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି। ଶନିବାର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି ଦଳ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିବା ବେଳେ, ଏବେ କେତେଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି। ଆସନ୍ତା କିଛି ଦିନରେ ଚିତ୍ର ସ୍ପଷ୍ଟ ହେବ।