ରାଜସ୍ଥାନ : ବଢିଲା ଜିଲ୍ଲା,ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ବିଧାନସଭାରେ ଏହି ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୧୯ଟି ନୂତନ ଜିଲ୍ଲା ଗଠନ କରାଯାଇଛି। ପୂର୍ବରୁ ରାଜସ୍ଥାନରେ ୩୩ ଟି ଜିଲ୍ଲା ଥିବାବେଳେ ବର୍ତ୍ତମାନ ତାହା ୫୨କୁ ବୃଦ୍ଧି ପାଇଛି । ଏହାସହ ୩ ଟି ନୂଆ ବିଭାଗ ମଧ୍ୟ ଗଠନ ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ନୂତନ ଭାବେ ଗଠିତ ଜିଲ୍ଲାଗୁଡ଼ିକୁ ୨ ହଜାର କୋଟି ଟଙ୍କାରେ ବିକାଶ କରିବେ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଥିବା ୧୯ଟି ନୂତନ ଜିଲ୍ଲା ଗୁଡିକ ହେଉଛି ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଡିଗ୍, ଡୁଡୁ, ନିମକାଥାନା, ଅନୁପଗଡ଼, ଫଲୋଦି, ବ୍ୟାୱାର୍, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, ଖୈରତଲ,ଗଙ୍ଗାପୁର ସିଟି, ସଲୁମ୍ବର, କେକଡ଼ି, ବହରୋଡ୍, ସାଞ୍ଚୋର, ଶାହପୁରା , କୋଟପୁତଲି, ବାଲୋତରା ଆଦି ଜିଲ୍ଲା । ରାଜସ୍ଥାନ ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ସରକାରଙ୍କର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଯେଉଁଥିପାଇଁ କେତେକ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।