ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ରାସ୍ତାଘାଟ, ସେତୁ, ଘରଦ୍ବାର ଧୋଇଯାଇଥିବାବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଦିଲ୍ଲୀ ବ୍ୟତୀତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ଜଳ ପ୍ରଳୟ ଦେଖାଯାଇଛି।
ରବିବାର ଦିନ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ବର୍ଷା ହେତୁ 28 ଜଣଙ୍କର ମୃତ୍ୟୁ ଘଟିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟି ଅନେକ ଘର ଭୁଶୁଡି ପଡିଛି ଏବଂ ବନ୍ଧ ଭାଙ୍ଗିବା କାରଣରୁ ହରିୟାଣାର ଅନେକ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଜାମ୍ମୁ କାଶ୍ମୀର ପ୍ରଶାସନ,ଶ୍ରୀ ଅମରନାଥ ଯାତ୍ରା ଅଞ୍ଚଳରେ ପ୍ରବଳ ବର୍ଷା ପରେ ବାର୍ଷିକ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଲଗାତାର ଦ୍ୱିତୀୟ ଦିନ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ପଞ୍ଜାବର ହୋଶିଆରପୁରର ଗାଡି ଭାସିଯିବାରୁ ଗୋଟିଏ ପରିବାରର ଆଠ ଜଣ ସଦସ୍ୟଙ୍କ ସମେତ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇ ଯାଇଛନ୍ତି।