ବାହାନଗା ଟ୍ରେନ୍ ଟ୍ରାଜେଡିର ସିବିଆଇ ତଦନ୍ତ ନେଇ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ

ଭୁବନେଶ୍ବର: ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।

ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ଦୁର୍ଘଟଣାର ସତ ଧୀରେ ଧୀରେ ସାମ୍ନାକୁ ଆସୁଛି । ଦୁଇଟି ଏକ୍ସପ୍ରେସ ଓ ମାଲଗାଡି ଟ୍ରେନ ମଝିରେ କେମିତି ଦୁର୍ଘଟଣା ହେଲା ଏହାକୁ ନେଇ ଦ୍ୱନ୍ଦ୍ ରହିଛି । ତେବେ ପ୍ରାଥମିକ ତଦନ୍ତ ପରେ ରେଲୱେ ବୋର୍ଡ ସଦସ୍ୟ ସ୍ପଷ୍ଟୀକରଣ ରଖି କରମଣ୍ଡଳ କେମିତି ଦୁର୍ଘଟଣାର ଶିକାର ହେଲା କହିଛନ୍ତି ।

ଭାରତ ଇତିହାସରେ ତୃତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଲୋକଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ ଚିକତ୍ସାଧୀନ ଅଛନ୍ତି । ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି ।

ଯଦିଓ ଦୁର୍ଘଟଣାର କାରଣ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କିନ୍ତୁ କରମଣ୍ଡଳ କେଉଁ ପରିସ୍ଥିତିରେ ନିର୍ଦ୍ଦାରିତ ଧାରଣା ଛାଡି ମାଲବାହି ଟ୍ରେନ ଥିବା ଧାରଣାକୁ ପ୍ରବେଶ କଲା ତାହା ଏବେ ବି ଅସ୍ପଷ୍ଟ । ଟ୍ରେନ କେଉଁଧାରଣାରେ ଯିବ ତାହା ନିର୍ଦ୍ଦାରଣ କରୁଥିବା ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ରେଳମନ୍ତ୍ରୀ କହିଛନ୍ତି । ତେବେ ତଦନ୍ତ କରୁଥିବା ରେଲୱେ ସେଫଟି କମିଶନରଙ୍କ ରିପୋର୍ଟ ସର୍ବସାଧାରଣ ହେବା ପରେ ଦୁର୍ଘଟଣା ପାଇଁ କିଏ ଦାୟୀ ତାହା ଜଣାପଡିବ ।