ଭୁବନେଶ୍ଵର:- ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଭୁବନେଶ୍ଵର ଆର ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ କରୁଛି ରେଡ୍ । ମିଳିତ ମାଲିକାନା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବାରୁ ଭିଜିଲାନ୍ସ ବିଭାଗ ଆଜି ଅଶୋକଙ୍କ ଘରେ ପହଞ୍ଚିଥିଲା। ଭିଜିଲାନ୍ସ କୁ ଦେଖି ଅଶୋକ ଘର ବାହାରୁ ତାଲା ପକାଇ ଭିତରେ ରହି ଯାଇଥିଲେ ଏବଂ ନିଜ ମୋବାଇଲ ସ୍ଵିଚ୍ ଅଫ୍ କରିଥିବାରୁ ତାଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା। ଆଉ ଯେତେବେଳେ ଭିଜିଲାନ୍ସ ଅଧିକାରୀ ମାନେ ଘର ସିଲ୍ କରିବାକୁ ବାହାରିଥିଲେ, ସେତେବେଳେ ଅଶୋକ ଚିନ୍ତାରେ ପଡିଥିଲେଏବଂ କୌଣସି ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ । ଭିଜିଲାନ୍ସ ଡରରେ ସେ ଏକ ବ୍ୟାଗ୍ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା। ତେବେ ସେହି ବ୍ୟାଗ୍ ରୁ ୧ ଲକ୍ଷ ଟଙ୍କା, ସୁନା, ରୂପା ଆଇଫୋନ୍ ଆଦି ଜବତ କରାଯାଇଛି। ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍ କରାଯାଇଛି। ତେବେ ଅଶୋକଙ୍କର ଭୁବନେଶ୍ଵରସ୍ଥିତ ଉତ୍କଳ ଗାଲେରିଆରେ ଦୁଇଟି ଦୋକାନ୍ ଥିବାବେଳେ ସିମ୍ପୋନୀ ମଲ୍ ରେ ଗୋଟିଏ ଦୋକାନ ରହିଛି। କସମୋପଲିରେ ଅଶୋକଙ୍କର ଦୁଇଟି ଫ୍ଲାଟ୍ ରହିଥିବା ଜଣାପଡିଛି।
ତେବେ ଗତକାଲି ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା ଭିଜିଲାନ୍ସ ବିଭାଗ। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ।