ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

ବାଲେଶ୍ଵର: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତିକୁ ନେଇ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଜି ସକାଳୁ ସକାଳୁ ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ବିରୋଧି ନେତା ରାହୁଲ ଗାନ୍ଧି । ହ୍ବାଟ୍ସ ଆପ୍‌ରେ ଭିଡିଓ କଲ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ରାହୁଲ । ଏଭଳି ଏକ ଦୁଃଖଦ ସମୟରେ ଦୃଢ଼ମନା ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏନେଇ ନିଜ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାହୁଲ ।

ରାହୁଲ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଓଡ଼ିଶା ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି । ତାଙ୍କ ପ୍ରତ୍ୟକଟି ଶବ୍ଦରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ସ୍ପଷ୍ଟ ବାରି ହେଉଥିଲା । ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ । ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ । ଆମେ ଯେକୌଣସି ମୂଲ୍ୟରେ ନିଶ୍ଚିତ କରିବୁ ଯେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଆନ୍ତି ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ । ହେଲେ ବାରମ୍ବାର ବାରମ୍ବାର ଅଭିଯୋଗ ପରେ ମଧ୍ୟ କଲେଜ ପ୍ରଶାସନ ଘଟଣାକୁ ଗୁରୁତର ସହ ନନେଇଥିଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ ସମସ୍ତଙ୍କୁ ଟ୍ୟାଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୌମ୍ୟାଶ୍ରୀ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ତେଣୁ ବାଧ୍ୟ ହୋଇ ଜୁଲାଇ ୧୨ରେ ପ୍ରିନ୍ସିପାଲ ଚାମ୍ବର ଆଗରେ ଆତ୍ମାହୁତି ଦେଇଥିଲେ ସୌମ୍ୟାଶ୍ରୀ । ଯେଉଁଥିରେ ତାଙ୍କ ଶରୀରର ୯୫ % ଜଳିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ । ଏମ୍ସ ଆଇସିୟୁରେ ପ୍ରାୟ ୬୦ ଘଣ୍ଟା ଧରି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରିଯାଇଥିଲେ ସୌମ୍ୟାଶ୍ରୀ । ଗତକାଲି ପ୍ରାୟ ରାତି ୧୨ ବେଳକୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।