ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଦଣ୍ଡବିଧାନ କରିଥିଲେ ସୁରଟ କୋର୍ଟ । କୋର୍ଟଙ୍କ ଦଣ୍ଡ ମୁତାବକ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ସୁରଟ କୋର୍ଟ । ସୁରଟ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧୀ । ହେଲେ ଗୁଜରାଟ ହାଇକୋର୍ଟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ । ହାଇକୋର୍ଟରୁ ନିରାଶ ହେବା ପରେ ଏବେ ରାହୁଲ ଗାନ୍ଧୀ ସମାନ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି ।
ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ଉପରେ ସୁରଟ କୋର୍ଟ ଦଣ୍ଡ ବିଧାନ କରିବା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ବିଭିନ୍ନ କୋର୍ଟରେ ୧୦ ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏହାସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ବୀର ସବରକରଙ୍କ ନାତି ମଧ୍ୟ ଆଉ ଏକ ଅଭିଯୋଗ ଦାଖଲ କରିଛନ୍ତି ।
ସୂଚନା ଥାଉକି, ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର କୋଲାର ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଗାନ୍ଧୀ ସବୁ ଚୋରଙ୍କର ସାଙ୍ଗିଆ ମୋଦୀ କିଭଳି ବୋଲି କହିଥିଲେ । ରାହୁଲଙ୍କ ଏଭଳି ବୟାନ ବିରୋଧରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଧାରା ୪୯୯ ଓ ୫୦୦ କ୍ରମରେ ଅପରାଧିକ ମାମଲା ରୁଜୁ କରିଥିଲେ ।