କଟକ: କଟକ ଦହିବରା କହିଲେ ପ୍ରଥମେ ଯାହା ନାଁ ପାଟିକୁ ଆସେ ସେ ହେଉଛନ୍ତି ରଘୁ ମଉସା । ରଘୁ ମଉସା ଦହିବରା ଦୋକାନ କହିଦେଲେ ଗାଡି ବାଲା ବି ନେଇ ଦୋକାନ ସାମ୍ନାରେ ଅଟକେଇ ଦିଏ । ତାଙ୍କ ହାତର ସେହି ଖଟା ମିଠା ଚଟପଟା ଦହିବରା ଆଳୁଦମ୍ ଆଉ ଶେଷରେ ଦହି ପାଣି ମୁନ୍ଦାଏ…. ଯିଏ ଖାଇଛି ସେ ଜାଣିଛି । ହେଲେ ଏବେ ଆଉ କଟକରେ ମିଳିବନି ରଘୁ ମଉସାଙ୍କ ସେହି ହାତ ତିଆରି ସୁସ୍ଵାଦୁ ଦହିବରା । କଟକବାସୀ ଏବେ ଝୁରି ହେବେ ମଉସାଙ୍କ ଦହିବରାକୁ । କାରଣ ସୁସ୍ଵାଦୁ ଦହିବରା ଖୁଆଇ ଲୋକଙ୍କ ମନରେ ଘର କରିନେଇଥିବା ସେହି ରଘୁ ମଉସା ଆଉ ନାହାଁନ୍ତି । ଅଫେରା ରାଇଜରେ କଟକର ରଘୁ ମଉସା ଓରଫ୍ ରଘୁନାଥ ସାସ୍ମଲ । କଟକର ପ୍ରସିଦ୍ଧ ରଘୁ ଦହିବରା ନା ରେ ପରିଚିତ ଥିଲେ ରଘୁନାଥ । ୯୧ ବର୍ଷ ବୟସରେ ବିଡାନାସୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ଗତ କିଛି ଦିନ ହେବ ପୀଡ଼ିତ ଥିଲେ ରଘୁନାଥ । ୧୯୫୦ ମସିହାରୁ କଟକ ବିଡାନାସୀରେ ଦହିବରା ଆଳୁଦମ୍ ବ୍ୟବସାୟ କରି ରଘୁ ଦହିବରା ନାଁ ରେ ପ୍ରସିଦ୍ଧି ଲାଭ କରିଥିଲେ ସେ । ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତି ଥିଲା ରଘୁ ମଉସାଙ୍କ ସେହି ଦହିବରା ।
ରଘୁନାଥ, ବିଡ଼ାନାସୀର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଏହି ବ୍ୟବସାୟରେ ଥିଲେ । ଯେତେବେଳେ ତାଙ୍କୁ ପନ୍ଦର ବର୍ଷ ହୋଇଥିଲା ସେବେଠାରୁ ସେ ଦହିବରା ବେପାର କରିଆସୁଥିଲେ । ବିଡ଼ାନାସୀ ଛକରେ ରଘୁ ମଉସା ସନ୍ଧ୍ୟା ୫.୩୦ ବେଳକୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଞ୍ଚନ୍ତି । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି । ଶନିବାର, ରବିବାର ଓ ଛୁଟିଦିନରେ ଅଧିକ ୫୦ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରନ୍ତି । କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ ପରସା ଯାଏ । ଦହିବରା ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଏ । ଖାଇସାରିବା ପରେ ପେଡ଼ାର ମଧ୍ୟ ବ୍ୟବସ୍ଥା ଥାଏ । ୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଏ । ନିଜ ଘରେ ଗାଇ ରଖି, ସେ ଦହି ପ୍ରସ୍ତୁତ କରିଥାନ୍ତି । ପୂର୍ବଦିନ ରାତି ବାରଟାରୁ ବିରି ବତୁରା ହୋଇ ସକାଳ ୯ଟାରେ ବରା ଛଣା ଆରମ୍ଭ ହୁଏ ଓ ଆଳୁଦମ ପ୍ରସ୍ତୁତ କରାଯାଏ । ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରନ୍ତି । ବିକ୍ରିବଟାରେ ପୁଅ ଲିଙ୍ଗରାଜ, ବନମାଳୀ ଓ ପୁତୁରା ରତ୍ନାକର ସହଯୋଗ କରନ୍ତି । ରଘୁ ଓଡ଼ିଶା ସୀମାଡେଇଁ ୨୦୧୭ ମଇ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗଦେଇ ଦହିବରା ଆଳୁଦମ ବେପାର କରିଥିଲେ ।
ରଘୁ ଦହିବରାର ସ୍ଵତନ୍ତ୍ରତା ବିଷୟରେ ସେ କୁହନ୍ତି ଯେ, ‘ଭଲ ଖାଦ୍ୟ ତିଆରି କରିବାକୁ ହେଲେ ଭଲ ସାମଗ୍ରୀର ବ୍ୟବହାର କରିବାକୁ ପଡ଼େ । ଯେପରିକି ଏଠାରେ ଦେଶୀ ବିରି ସହିତ ମିଳେ ବାଲାମୀ ଚାଉଳ। ଶସ୍ତା ସାମଗ୍ରୀ କରୁଛନ୍ତି ଦ୍ବାରା କେବେ ଭଲ ଖାଦ୍ୟ ତିଆରି କରି ହେବନାହିଁ । ଗାଁଗହଳିରୁ ଦେଶୀ ବିରି ଓ କଟକ ବଜାରରୁ ବାଲାମୀ ଚାଉଳ କିଣିବାକୁ ପଡ଼ୁଛି । ଦହିବରା-ଆଳୁଦମ୍ ତିଆରି କରିବା ଖୁବ୍ ସହଜ। ତେବେ ଗୁଣାତ୍ମକ ମାନର ଖାଦ୍ୟ ସାମଗ୍ରୀ ଓ ଭାଗମାପ ଠିକ୍ ରଖୁଲେ ସୁସ୍ବାଦୁ ଦହିବରା ଓ ଆଳୁଦମ୍ ତିଆରି କରିହେବ।’ ହେଲେ ଏବେ ସେ ସ୍ୱର ନୀରବି ଯାଇଛି । ଆଉ ଶୁଣିବାକୁ ମିଳିବନି ରଘୁ ଦହିବରା ନା ।