ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ: ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।

ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍‌ ପାଇଁ ସମସ୍ତ ୧୦ ଦଶଟି ଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ତେବେ ଟିମ୍‌ରେ ପରିବର୍ତ୍ତନ ତାରିଖ ସେପ୍ଟେମ୍ବର ୨୮ ତାରିଖ ରଖାଯାଇଥିଲା। ଆଜି ଶେଷ ତାରିଖ ହୋଇଥିବାରୁ ଭାରତ ଟିମ୍‌ରେ ସଂଶୋଧନ କରି ଅକ୍ଷରଙ୍କ ସ୍ଥାନରେ ଆର୍‌ ଅଶ୍ୱିନଙ୍କୁ ସ୍ଥାନ ଦେଇ ୧୫ ଜଣିଆ ଦଳ ଘୋଷଣା କରିଛି।

ଏସିଆ କପ୍ ବେଳେ ଅକ୍ଷରଙ୍କ ଜଂଘରେ ଆଘାତ ଲାଗିଥିଲା । ସେ ଶୀଘ୍ର ସୁସ୍ଥ ହେବା ଆଶା ନାହିଁ । ଏହି କାରଣରୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ୩୭ ବର୍ଷୀୟ ଅଶ୍ୱିନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ଚାରିଟି ୱିକେଟ୍ ନେଇଥିଲେ। ଅଶ୍ୱିନ ଏବେ ଭାରତୀୟ ଦଳ ସହିତ ଗୁଆହାଟି ଯାଇଛନ୍ତି, ଯେଉଁଠି ଭାରତ ସେପ୍ଟେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରେ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ।