ଜୟପୁର: କଂଗ୍ରେସର ଲାଲ ଡାଏରୀ କଥା କହି ସମାଲୋଚନା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ଲାଲ ଡାଏରୀ ନୁହେଁ ପ୍ରଧାନମନ୍ତ୍ରୀ ଲାଲ ଟମାଟର ଓ ସିଲିଣ୍ଡର ଉପରେ କୁହନ୍ତୁ ବୋଲି ସେ କହିଛନ୍ତି ।
ରାଜସ୍ଥାନର ସିକରରେ ଥିବା ରେଡ୍ ଡାଏରୀକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜିକାଲି ରେଡ୍ ଡାଏରୀ ଚର୍ଚ୍ଚାରେ ରହିଛି। ମୁଁ ଶୁଣିଛି ଯେ ଏଥିରେ କଂଗ୍ରେସର କଳା କାରନାମା ରେକର୍ଡ କରାଯାଇଛି। ସେ କହିଥିଲେ ଯେ ଯଦି ଏହାର ପୃଷ୍ଠା ଖୋଲିବ ତେବେ ସରକାରଙ୍କ ଅକଲ ଗୁଡ଼ୁମ ହୋଇଯିବ । ସରକାର ଚଳାଇବା ନାଁରେ କଂଗ୍ରେସ ଲୁଟ୍ ଦୋକାନ ଚଳାଇଛି । ଏହି ଲୁଟ୍ ଦୋକାନର ସଦ୍ୟତମ ଉଦାହରଣ ହେଉଛି ଏହି ଲାଲ ଡାଏରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯୋଗର ଜବାବ ଦେଇ ଗେହଲୋଟ କହିଛନ୍ତି ଯେ, ଲାଲ ଡାଏରୀ ନୁହେଁ ବରଂ ଲାଲ ଟମାଟୋ ଏବଂ ଲାଲ ସିଲିଣ୍ଡରକୁ ଶସ୍ତା କରିବା କଥା କୁହନ୍ତୁ । ନିର୍ବାଚନରେ ଲୋକମାନେ ଏଥିପାଇଁ ହିଁ ଲାଲ ପତାକା ଦେଖାଇବେ। ଗେହଲଟ ଜୟପୁରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ୟ୍ୟକ୍ରମରେ ମୋତେ ଭାଷଣ ଦେବାକୁ କୁହାଯାଇଥିଲା, କିନ୍ତୁ ହଠାତ୍ ଗତକାଲି ରାତିରେ ମୋ ଭାଷଣ ହଟାଇ ଦିଆଯାଇଥିଲା। ଦେଶର ସଂଘୀୟ ଢାଞ୍ଚା ଅନୁଯାୟୀ, ଯାହା ବି କାମ ହେଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିତ ଭାବେ କରିବାକୁ ପଡ଼ିବ। ଆଜି ଯାହା ହେଲା ତାହା ଭଲ ନୁହେଁ ।