ନୂତନ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହାକୁ ନେଇ ବାଦ ବିବାଦ ଲାଗିରହିଥିଲେ ମଧ୍ୟ ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି ଯେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ ସଂସଦ ଭବନକୁ ଉଦଘାଟନ କରିବେ। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ସାଂସଦଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ନୂତନ ସଂସଦ ଭବନ ଉଦ୍ଘାଟନୀ ସମାରୋହର ନିମନ୍ତ୍ରଣ ପଠାଇଛନ୍ତି। ୨୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହେବ। ଅନ୍ୟପକ୍ଷରେ, କଂଗ୍ରେସ ବିରୋଧରେ ଆକ୍ରମଣର ନେତୃତ୍ୱ ନେଉଥିବା କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ କହିଛନ୍ତି, ଯେଉଁଠି କାହାର କିଛି ନାହିଁ ସେଠାରେ ବିବାଦ ସୃଷ୍ଟି କରିବା କଂଗ୍ରେସର ଅଭ୍ୟାସ ରହିଛି। ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାର ମୁଖ୍ୟ ଏବଂ ସରକାରଙ୍କ ତରଫରୁ ସଂସଦର ନେତୃତ୍ୱ ନେଉଛନ୍ତି, ଯାହାର ନୀତି ଆଇନ ଆକାରରେ କାର୍ୟ୍ୟକାରୀ ହୋଇଥାଏ।