ନୂଆଦିଲ୍ଲୀ: ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ନବକଳେବର’। ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ଚଳଚ୍ଚିତ୍ର ଶ୍ରୀଜଗନରନ୍ନାଥଙ୍କ ‘ନବକଳେବର’ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଲା ଓ ଏହି କାର୍ଯକ୍ରମରେ ମହାମହିମଙ୍କ ସହ ଉପସ୍ଥିତ ଥିଲେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ର ଉପଦେଷ୍ଠା ବିଭୁପ୍ରସାଦ ମହାପାତ୍ର, ମେଜର ଜେନେରାଲ ଭୁଦେବ ପରିଡା, ରାଷ୍ଟ୍ରପତିଙ୍କ ଭିଏସଏମ୍ ସାମରିକ ସଚିବ ବିଜୟ ନାୟକ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ୍ ସଚିବ ଜ୍ଞାନ ରଞ୍ଜନ ନନ୍ଦ, ରାଷ୍ଟ୍ରପତିଙ୍କ ସଚିବ ଦୀପ୍ତି ଉମାଶଙ୍କର, ପ୍ରେସ୍ ସଚିବ ଅଜୟ କୁମାର ସିଂହ, ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀ ସୁନୀଲ କୁମାର ତ୍ରିବେଦୀ ପ୍ରମୁଖ ।
ଏନେଇ ରାଷ୍ଟ୍ରପତିଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଦେଖିଥିଲେ। ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିର ଉତ୍ପତ୍ତିକୁ ଦର୍ଶାଏ। ନିର୍ଦ୍ଦେଶକ ସୌଭାଗ୍ୟଲକ୍ଷ୍ମୀ ଜେନା, ଏହି ଚଳଚ୍ଚିତ୍ରର କଳାକାର ଏବଂ ଦଳ ମଧ୍ୟ ସ୍କ୍ରିନିଂରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ରଥଯାତ୍ରା ସମୟରେ ଜୁଲାଇ ୪ରେ ରିଲିଜ ହୋଇଥିଲା ବହୁ ପ୍ରତିକ୍ଷିତ ମହାପ୍ରଭୁଙ୍କ ନବକଳେବର ନୀଳା ଉପରେ ଆଧାରିତ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ । ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ମହାପ୍ରଭୁଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ହେଲେ ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ସାମଲ, କାର୍ଯ୍ୟକାରୀ ପ୍ରାଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର (ବିସନ ମହାନ୍ତି), ଅଭିନେତା ଶ୍ରୀତମ ଦାସ (ରାଜା ମୁକୁନ୍ଦ ଦେବ), (ଗଜପତି ରାମଚନ୍ଦ୍ର ଦେବ) ଜ୍ୟୋତି ନାୟକ, (କଳାପାହାଡ଼) ଅଂଶୁମାନ ଭୂମିକାରେ ନଜର ଆସିଛନ୍ତି ।