ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆଠଗଡ଼: ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ । ପୋଲିସର ମକଡ୍ରିଲ୍‌ ପରେ ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି । ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ । ୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ହେବ ପାର୍କିଂ । NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ । 

ଏହି ସମୟରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା ରହିଛି । ଭକ୍ତଙ୍କ ସୁରକ୍ଷା ଓ ବ୍ୟବସ୍ଥିତ ଢ଼ଙ୍ଗରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ୍ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍, କାର୍, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି । ତେଣୁ ପଞ୍ଚକ ଓ ବଡ଼ଓଷାରେ ଆଶାତୀତ ଭିଡ଼କୁ ଦୃଷ୍ଟିରେ ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ଼ ଯାଉଥିବା ଭାରୀ ଯାନଗୁଡ଼ିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଠଗଡ଼ରୁ ଧବଳେଶ୍ୱର ରାସ୍ତାଦେଇ କଟକ ଆସୁଥିବା ଭାରୀଯାନଗୁଡ଼ିକ କଖଡ଼ି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତ୍ତନ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁଲିସ ପକ୍ଷରୁ ମଧୁସୂଦନ ସେତୁର ନୂଆପାଟଣା ଛକ ଓ କଖଡ଼ି ଛକରେ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।