ଭୁବନେଶ୍ୱର: ଘରକୁ ଲକ୍ଷ୍ମୀ ଆସିବା ସାଙ୍ଗକୁ ମିଳିବ ମନ୍ତ୍ରି ମଣ୍ଡଳରେ ସୁଯୋଗ । ନିକଟରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଦୁଇଟି ଯମଜ ଝିଅର ବାପା ହୋଇଛନ୍ତି । ଆଉ ଘରକୁ ଲକ୍ଷ୍ମୀ ଆସିବା ପରେ ପରିବାରର ସମସ୍ତେ ଖୁସିରେ ଥିବା ସମୟରେ ଏବେ ବିଧାୟକଙ୍କୁ ମିଳିଛି ନୂଆ ଖୁସି । ଆସନ୍ତା କାଲି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି ପ୍ରୀତିରଞ୍ଜନ ଘଡ଼ାଇ । ଓଡ଼ିଶା ଯେଉଁ ଯୁବ ନେତୃତ୍ୱଙ୍କୁ ନେଇ ଗର୍ବ କରେ ସେଥି ମଧ୍ୟରୁ ସେ ଅନ୍ୟତମ । ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓରଫ୍ ଡ୍ୟାନି ଓଡ଼ିଶା ଇତିହାସର ଜଣେ ଟାଣୁଆ ନେତା । କମ୍ ବୟସରେ ରାଜନୈତିଜ୍ଞ ପିତାଙ୍କର ଉତ୍ତରାଧିକାରୀ ଭାବରେ ସେ ରାଜନୀତିର ମଙ୍ଗ ଧରି ଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।
ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡେଇଙ୍କ ପୁଅ ଭାବେ ସେ ରାଜନୀତିରେ କରିଥିଲେ ଗୋଟି ଚାଳନା ।ପରବର୍ତ୍ତୀ ସମୟରେ ନିଜର ପରିଚୟ ନିଜେ ସୃଷ୍ଟି କରି ନିର୍ବାଚନୀ ବୈତରଣୀ ପାର୍ କରିଥିଲୋ ଖୁବ୍ କମ୍ ଦିନ ମଧ୍ୟରେ ଲୋକଙ୍କର ଅତି ନିକଟତର ହୋଇ କର୍ମ କ୍ଷେତ୍ରରେ ବିଜୟ ହାସଲ କରି ପାରିଥିଲେ ।୧୯୭୩ ମସିହା ଜୁନ ମାସ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଡ୍ୟାନି । ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଓହ୍ଲାଇଥିଲେ । ତେବେ ପିତାଙ୍କର ରାଜନୈତିକ ରଣକୌଶଳ ଠାରୁ ଡ୍ୟାନିଙ୍କ ରାଜନୈତିକ ଫଣ୍ଡା ଟିକେ ଅଲଗା । ୨୦୦୯ ବିଧାନସଭା ନିର୍ବାଚନରେ କୋରେଇ ବିଧାନସଭା ଆସନରୁ ବିଧାୟକ ହୋଇ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ ପ୍ରୀତିରଞ୍ଜନ ଘଡ଼ାଇ । ପରେ ୨୦୧୪ ଓ ୨୦୧୯ରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେବାରେ ସ୍ୱଭାଗ୍ୟ ଅର୍ଜନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରରେ ଦୀର୍ଘ ୩ବର୍ଷ ପରେ ମନ୍ତ୍ରୀମଣ୍ଡଳରେ ହେବ ପରିବର୍ତ୍ତନ । ପାର୍ଟି ମୁଖ୍ୟଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏକକାଳୀନ ମନ୍ତୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ଆସନ୍ତା ରବିବାର ଦିନ ୧୧ଟା ୪୫ ମିନିଟ ସମୟରେ ରାଜଭବନରେ ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ବହୁ ଆଶାୟୀ ନେତାଙ୍କ ନାମ ରହିଥିବା ଶୁଣିବାକୁ ମିଳୁଛି । ସେମାନଙ୍କ ମଧ୍ୟରେ ଡ. ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ ଅମାତ, ବଦ୍ରୀ ନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ବାସନ୍ତୀ ହେମ୍ବ୍ରମ, ଅଶ୍ୱିନୀ ପାତ୍ର, ଲତିକା ପ୍ରଧାନ, ପ୍ରୀତିରଞ୍ଜନ ଘଡାଇ ଅନ୍ୟତମ ।
ତେବେ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକାରେ ପ୍ରୀତିରଞ୍ଜନ ଘଡେଇଙ୍କ ନାମ ଶୁଣାଯିବା ପରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛିି । ବିଳମ୍ବ ହେଲେ ବି ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ସୁଦୃଷ୍ଟି ରଖି ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବେ ବୋଲି ଶୁଣିବାକୁ ମିଳୁଛି । ଗତ ୨୦୨୦ ମାର୍ଚ୍ଚରେ ଚିଲିକାର ଏକ ରିସୋର୍ଟରେ ନିରାଡ଼ମ୍ବର ଭାବେ ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଥିଲେ ଡ୍ୟାନି । ଏହି ବିବାହରେ ଉଭୟ ପରିବାରର ସଦସ୍ୟ ଏବଂ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ । ତେବେ ଗତ ମାସରେ ତାଙ୍କର ବିବାହିତ ଜୀବନରେ ପ୍ରବେଶ କରିଛନ୍ତି ଦୁଇ ଦୁଇଟି ଯମଜ କନ୍ୟା ସନ୍ତାନ । ହୁଏତ ଏହି ଯମଜ ଝିଅ ପ୍ରୀତିରଞ୍ଜନଙ୍କ ପାଇଁ ଶୁଭଦାୟକ ହୋଇ ଆସିଥିବା କୁହାଯାଉଛି । ଯଦି ପ୍ରୀତିରଞ୍ଜନ ମନ୍ତ୍ରୀ ହୁଅନ୍ତି, ତେବେ ୨୦୨୨ ତାଙ୍କ ପାଇଁ ଏକ ଆଶୀର୍ବାଦର ବର୍ଷ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଜୀବନ ଚଲାପଥ କୁସୁମିତ ହେଉ । ଏହା ହେଉଛି ରିପୋର୍ଟସ ଟୁଡେ ଓ ମହାଭାରତ ପରିବାର ପକ୍ଷରୁ ଅଗ୍ରୀମ ଶୁଭେଚ୍ଛା ।