ପାଣାଜି: ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗୋଆର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ବଡ଼ ନେତା ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟାଡିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ସାୱନ୍ତ ରାଜ ଭବନ ବାହାରେ ଦ୍ୱିତୀୟ ଥର ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ ପୂର୍ବରୁ ପ୍ରମୋଦ ସାୱନ୍ତ ସକାଳେ ତାଙ୍କ ଘରେ ପୂଜା କରିବା ସହ ଟ୍ୱିଟରରେ ଏନେଇ ଫୋଟ ପୋଷ୍ଟ କରିଥିଲେ।

- ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶପଥ ଗ୍ରହଣରେ ସାମିଲ୍
ଗୋଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେଶ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ପ୍ରମୁଖ ପ୍ରମୋଦ ସାୱନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ଜେପି ନଡ୍ଡା, ଅନ୍ୟ କେନ୍ଦ୍ରମନ୍ତ୍ରୀ ତଥା ଅତି କମରେ ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

- ମାର୍ଚ୍ଚ ୨୦୧୯ରେ ପ୍ରଥମ ଥର ପାଇଁ ହୋଇଥିଲେ ମୁଖ୍ୟମନ୍ତ୍ରୀ
୪୮ ବର୍ଷୀୟ ପ୍ରମୋଦ ସାୱନ୍ତ ଉତ୍ତର ଗୋଆର ସାଙ୍କାଲିମର ଜଣେ ବିଧାୟକ | ୨୦୧୭ରେ, ଯେତେବେଳେ ମନୋହର ପାରିକରଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କଲା, ସେତେବେଳେ ପ୍ରମୋଦଙ୍କୁ ବିଧାନସଭା ଅଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା। ପାରିକରଙ୍କ ମୃତ୍ୟୁ ପରେ ମାର୍ଚ୍ଚ ୨୦୧୯ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବୃତ୍ତି ଅନୁଯାୟୀ ସାୱନ୍ତ ଜଣେ ଆୟୁର୍ବେଦ ଡାକ୍ତର ଅଟନ୍ତି |

- ସାୱନ୍ତଙ୍କ ସରକାରରେ ଏହି ସବୁ ମନ୍ତ୍ରୀଙ୍କୁ ବିଶେଷ ଦାୟିତ୍ୱ
ଗୋଆ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିବା ବିଶ୍ୱଜିତ ରାଣେଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ପୋଣ୍ଡା ବିଧାନସଭା ଆସନରୁ ଜିତିଥିବା ରବି ନାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ୭ଥର ବିଧାୟକ ରହି ସାରିଛନ୍ତି। ନିଲେଶ କ୍ୟାବ୍ରାଲଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସେ କାଚୋରିମ ଆସନରୁ ବିଧାୟକ ହୋଇଛନ୍ତି ଏବଂ ସେ ପୂର୍ବ ସରକାରରେ ଶକ୍ତି ମନ୍ତ୍ରୀ ଥିଲେ। ସିରୋଧା ବିଧାନସଭା ଆସନରୁ ବିଧାୟକ ସୁଭାଷ ଶିରୋଦକର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, ସେ ୨୦୧୮ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ସେ ମଧ୍ୟ ପୂର୍ବରୁ ୭ଥର ବିଧାୟକ ରହି ସାରିଛନ୍ତି।