ନକଲି ଡାକ୍ତରର ହେବ ପଲିଗ୍ରାଫ ଟେଷ୍ଟ, ସାମ୍ନାକୁ ଆସିବ ଠକେଇର ଗୁମର …

ମିଛ କହି ଠକିଥିଲା ୧୮ରୁ ଅଧିକ ମହିଳା

ଭୁବନେଶ୍ୱର: ଡାକ୍ତର ପଦବୀ ନାଁରେ ମିଛ କହି ୧୮ରୁ ଅଧିକ ମହିଳାଙ୍କୁ ବିବାହ କରିଥିବା ଠକ ନକଲି ଡାକ୍ତର ରମେଶ ସ୍ୱାଇଁର ହେବ ପାଲିଗ୍ରାଫ ଟେଷ୍ଟ । ଆସନ୍ତା ବୁଧବାର ଦିନ ପଲିଗ୍ରାଫ ଟେଷ୍ଟ ପାଇଁ ପୋଲିସକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ରମେଶ ନିକଟରୁ ସତ ଓଗାଳିବା ପାଇଁ ସୋମବାର ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ମହିଳା ଥାନା ପୋଲିସ । ତଥ୍ୟ ଲୁଚାଇବା ସହ ଭ୍ରମିତ କରୁଥିବାରୁ ପଲିଗ୍ରାଫ ଟେଷ୍ଟ ଆବେଦନ କରାଯାଇଥିଲା ।

କିଛିଦିନ ତଳେ ୧୮ଜଣ ପତ୍ନି ଥିବା ନକଲି ଡ଼ାକ୍ତର ରମେଶ ସ୍ୱାଇଁ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଘଟଣାରେ ପୋଲିସ ଏହାର ତଦନ୍ତ ଜାରି ରଖିଥିବା ବେଳେ ତାଙ୍କର ଲାଏ ଡ଼ିଟେକ୍ସନ୍ କରାଗଲେ ଅଧିକ ସତ ସାମ୍ନାକୁ ଆସିବ ବୋଲି କୁହାଯାଇଛି। ତେବେ ଏହି ଘଟଣାରେ ନକଲି ଡାକ୍ତର ରମେଶଙ୍କ ସମେତ ତାଙ୍କର ଭିଣୋଇ, ଭଉଣୀ ଏବଂ ଡ୍ରାଇଭର ସମ୍ପୃକ୍ତ ଥିବା ପୋଲିସ ନିକଟରୁ ଜଣାପଡ଼ିଥିଲା । ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିଲା ପୋଲିସ ।

ଅନ୍ୟପକ୍ଷେ, ନିକଟରେ ନକଲି ଡ଼ାକ୍ତରଙ୍କ କିଛି ଭିଡ଼ିଓ ସାମ୍ନାକୁ ଆସିଥିଲା । ଭିଡିଓରେ ନକଲି ଡାକ୍ତର ରମେଶ ଲୁହ ଝରାଇ ମିଛ ଅଭିନୟ କରୁଥିବା ଦେଖିବାକୁ ମିଳିଥିବା ବେଳେ, ଅନ୍ୟ ଏକ ଭିଡିଓରେ ସାଲାଇନ୍ ନେଇ ରୋଗୀ ଭଳି ଶୋଇଛନ୍ତି ଏହି ନକଲି ଡାକ୍ତର ଜଣକ । ପ୍ରାୟ ୧୮ ଜଣ ମହିଳାଙ୍କୁ ମିଛ ପ୍ରତିଶୃତି ତଥା ନକଲି ଡାକ୍ତର ସାଜି ବିବାହ କରିଥିବା ରମେଶ ସ୍ୱାଇଁ ନିକଟରୁ ସତ ଓଗାଳୁଛି ପୋଲିସ।

ତଦନ୍ତ ପ୍ରକ୍ରିୟା ଧିରେ ଧିରେ ଆଗେଇବା ସହିତ ପୋଲିସ ହାତରେ ଧରା ପଡ଼ିବାରେ ଲାଗିଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅପରାଧର ଲମ୍ବା ଚେର । ତେବେ ତାଙ୍କ ଲାଏ ଡ଼ିଟେକ୍ସନ୍ ଟେଷ୍ଟ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।