ନକଲି ଡାକ୍ତରକୁ ଗିରଫ କଲା ପୋଲିସ

ବ୍ରହ୍ମପୁର:   ନକଲି ଡାକ୍ତରକୁ ଧରିଲା ନକଲି ରୋଗୀ । ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଏହି ଔଷଧ ଦୋକାନରେ ନକଲି ଡାକ୍ତର ଜଣକ ଦୀର୍ଘ ଦିନ ହେଲା ରୋଗୀ ଚିକିତ୍ସା କରିଆସୁଥିଲେ । ସେହି ଅଞ୍ଚଳର ଜଣେ ରୋଗୀଙ୍କୁ ଚିକିତ୍ସା କରିବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିଲେ । ଫଳରେ ପରିବାର ଲୋକେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ବ୍ରହ୍ମପୁର ଏସପି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସାନଖେମୁଣ୍ଡି ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଆଇଆଇସି ନକଲି ରୋଗୀ ବେଶରେ ଯାଇ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣାପଡିଛି । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ଡାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି ।

କଟକ ରାଣୀହାଟ କ୍ଲିନିକ ଓ ସାନଖେମୁଣ୍ଡିର ଘରୋଇ କ୍ଲିନିକରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ । ଶୁଭ୍ରଜିତ ପଣ୍ଡା ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହି ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବା ବେଳେ ଗିରଫ ହୋଇଥିଲେ ଶୁଭ୍ରଜିତ । ବଡ କଥା ହେଲା ଶୁଭ୍ରଜିତ ପଣ୍ଡା ମାତ୍ର ୨୪ ଦିନ ତଳେ ବିବାହ କରିଥଲେ ।