ଉତ୍ତରପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ ମୋଦି ଓ ଯୋଗୀ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଜୋରଦାର ଚାଲିଛି ଭୋଟ ଗଣତି ।  ଉତ୍ତରପ୍ରଦେଶରେ ବିଜେପି ପୁଣି ଥରେ ବିଜୟର ବାନା ଉଡ଼ାଇବା ସହିତ ସରକାର ଗଢ଼ିବ ଦଳ । କାରଣ ଏଠାରେ ମୋଟ ୪୦୩ ଆସନରୁ ବିଜେପିକୁ ୨୭୩ଟି ଆସନରେ ବିଜୟ ମିଳିଛି । ତେଣୁ ୟୁପିରେ ପୁଣିଥରେ ଯୋଗୀ ସରକାରଙ୍କ ରାଜ୍ ହେବା ନେଇ ଆକଳନ ସତ ହେବାକୁ ଯାଉଛି । ତେବେ ଏନେଇ ବିଜେପି ନିଜର ବିଜୟର ଉତ୍ସବ ପାଳିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

ୟୁପିରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ଏବଂ ଯୋଗୀ ସରକାରଙ୍କ ରାଜ୍ ଆରମ୍ଭ ହେବ ନେଇ ଏକ ପ୍ରକାର ସୁନିଶ୍ଚିତତା ମିଳିବା ପରେ ୟୁପିରେ ଆରମ୍ଭ ହୋଇସାରିଛି ଉତ୍ସବ । ବିଜେପିର ଏହି ବଡ଼ ବିଜୟ ପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬.୩୦ରେ ଦିଲ୍ଲୀ ସ୍ଥିତି ପାର୍ଟି ଅଫିସରେ ପହଞ୍ଚିବେ । ଦିଲ୍ଲୀ ପାର୍ଟି ଅଫିସରେ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସେହିପରି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସନ୍ଧ୍ୟା ୫ଟାରେ ଲକ୍ଷ୍ନୌରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।