ଭୁବନେଶ୍ଵର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ । ହିନ୍ଦୁ ଧର୍ମରେ ଏହାର ମହତ୍ୱ ଅଧିକ । ଏହି ସମସୟ ମଧ୍ୟରେ ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ପିତୃପକ୍ଷ ଚାଲିବା ସମୟରେ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରାଯାଏ । କୁହାଯାଏ ଯେ, ଏହି ଦିନ ପାଇଁ ପିତୃପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରେ ରୁହନ୍ତି । ସେମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରନ୍ତି । ଏହି ସମୟ ମଧ୍ୟରେ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡ ଦାନ ଇତ୍ୟାଦି କରିବା ଶୁଭ ବୋଲି ବିବେଚନା କରାଯାଏ ।
କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ।
ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ, ଯିଏ ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାରେ ରୀତିନୀତି କରନ୍ତି, ସେମାନେ ଏହି ସମୟ ମଧ୍ୟରେ କେଶ ଏବଂ ନିଶ ଦାଢି କାଟିବା ଅନୁଚିତ। କୁହାଯାଏ ଯେ, ପିତୃ ପକ୍ଷରେ କେଶ ଏବଂ ନିଶ ଦାଢି କାଟିବା ଦ୍ୱାରା ଅର୍ଥ ହାନୀ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନେ ପିତୃପୁରୁଷଙ୍କ ପାଇଁ ତର୍ପଣ କରନ୍ତି, ସେମାନେ ଏହାର ବିଶେଷ ଯତ୍ନ ନେବା ଉଚିତ୍। ପିତୃପକ୍ଷରେ ଘରେ ସାତ୍ୱିକ ଖାଦ୍ୟ ରହିବା ଭଲ। ରସୁଣ, ପିଆଜରେ ପ୍ରସ୍ତୁତ ଖାଦ୍ୟ ସେବନ କଲେ ପିତୃ ଦୋଷ ଲାଗିଥାଏ। ବିଶେଷକରି ଯେଉଁମାନେ ପିତୃପକ୍ଷ ଉପରେ ଦୌନିକ ତର୍ପଣ କରନ୍ତି ସେମାନେ ତମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ୍। ଯଦି ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ମନେ ପଡ଼େ, ତେବେ ତାରିଖ ଅନୁଯାୟୀ ପିଣ୍ଡ ଦାନ କରିବା ଭଲ।