ବାରବାଟୀ ଟି-୨୦ ଟିକେଟ ପାଇଁ ମାରପିଟ, ଠେଲାପେଲା ପୋଲିସର ଲାଠିଚାର୍ଜ

କଟକ: ଆଜିଠୁ କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେଉଛି ୧୨ ହଜାର ଟିକେଟ । ନିଜ ପରିଚୟ ପତ୍ର ଦେଖାଇବା ପରେ ଜଣକ ପିଛା ଦୁଇଟି ଟିକେଟ ମିଳୁଛି । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ବୁଧବାର ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।

ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି।ତଥାପି ଟିକେଟ୍‌ ପାଇଁ କିରିକେଟ ପ୍ରେମୀଙ୍କ ଭିଡ଼ ଅସମ୍ଭାଳ । ଟିକେଟ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ଖେଳାଳିଙ୍କୁ ନିକଟରୁ ଦେଖିବା ସହ କ୍ରିକେଟର ମଜା ନେବା ପାଇଁ ଷ୍ଟାଡିୟମ ସାମ୍ନାରେ ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଯାହା ଫଳରେ ପୋଲିସକୁ ନାକେଦମ ହେବାକୁ ପଡ଼ିଛି ।

ଭିଡ଼ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଅନ୍ୟପକ୍ଷେ ଲାଇନ୍‌ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । କଥା ଏତେ ମାତ୍ରାରେ ବଢ଼ିଯାଇଥିଲା କି ପରସ୍ପର ହାତାହାତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ। ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି। ଠେଲା ପେଲା କରୁଥିବା ଲୋକଙ୍କୁ ପୋଲିସ ମାଡ ମାରିଥିଲା । କିଛି ସମୟ ଠେଲାପେଲା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ହେବ । ଏଥିପାଇଁ ୩୦ରୁ ୪୦ ହଜାର ଲୋକ କାଉଣ୍ଟର ଆଗରେ ଏକାଠି ହୋଇଛନ୍ତି । କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।