ପୁରୀ: ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଜି ପୁରୀରେ ପହଞ୍ଚିଛନ୍ତି ।ଶ୍ରୀମନ୍ଦିର ଏଏସଆଇ(ASI) ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ, ASI ସୁପରିଟେଣ୍ଡେଣ୍ଟ୍ ଅରୁଣ ମଲ୍ଲିକ, ASI ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ୍ ଚିତ୍ତରଞ୍ଜନ ଦାସ ମଧ୍ୟ ଶ୍ରୀମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଦର୍ଶନ ପରେ ଏହି କମିଟି ଐତିହ୍ୟ କରିଡର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମରେ ୧୬ ଜଣ ସଂସଦ ପ୍ରତିନିଧିଙ୍କ ସମେତ ଅନ୍ୟ ୬ ଜଣ ଅଫିସିଆଲ ରହିଛନ୍ତି ।
ତେବେ ଏହାର ସଦସ୍ୟ ରାମଦାସ ତଡାସ ଐତିହ୍ୟ କରିଡର ପ୍ରକଳ୍ପ ଆବଶ୍ୟକ ବୋଲି କହିଛନ୍ତି ।କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତ କରି ଏପରି ପ୍ରତିକ୍ରିୟା ରଖିଛନ୍ତି | ଏହାସହ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ସେ ମତ ରଖିଛନ୍ତି । ସେହିପରି ସଂସଦୀୟ ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି । ଆହୁରି ଅଧିକ ଉନ୍ନତିର ଆବଶ୍ୟକତା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ ବୋଲି ସଂସଦୀୟ କମିଟି ସଦସ୍ୟ ରାମ ଦାସ ତଡାସ କହିଛନ୍ତି ।
ଅନ୍ୟପକ୍ଷେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ସୂଚନା ଅନୁଯାୟୀ, ନିଜ ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ASI) । ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଏସଆଇ ତଥ୍ୟ ରଖିପାରିନଥିବା ବେଳେ ଆଜି ଅତିରିକ୍ତ ସମୟ ମାଗିଛି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୬ରେ ହେବ ବୋଲି ଜଣାପଡିଛି ।