ଭୁବନେଶ୍ୱର: ଆଇପିଏସ ପରାଗ ଜୈନ ହେଲେ ନୂଆ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW) ମୁଖ୍ୟ । ପରାଗ ଜୈନଙ୍କୁ R&AW ମୁଖ୍ୟ ଭାବେ ନିଯୁକ୍ତ କଲେ ସରକାର । ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ ପରାଗ ଜୈନ । ରବି ସିହ୍ନାଙ୍କ ସ୍ଥାନରେ ଜଌଇଡ ମୁଖ୍ୟ ପଦରେ ରହିବେ ପରାଗ । କହି ରଖୁଛୁ ଯେ ରବି ସିହ୍ନାଙ୍କ କାର୍ୟ୍ୟକାଳ ଜୁନ୍ ୩୦ ରେ ଶେଷ ହେଉଛି ଏବଂ ପରାଗ ଜୈନ ଏହି ପଦବୀ ଗ୍ରହଣ କରିବେ। ୧୯୮୯ ବ୍ୟାଚ୍ ପଞ୍ଜାବ କ୍ୟାଡର୍ ଆଇପିଏସ ଅଫିସର୍ ପରାଗ ଜୈନ । ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ପରାଗ । କ୍ୟାବିନେଟ ନିଯୁକ୍ତି ସମିତି ତରଫରୁ ତାଙ୍କ ନାମ ଉପରେ ଆଜି ମୋହର ମାରିଛି ।

ଆଇପିଏସ ପରାଗ ଜୈନ ପୂର୍ବରୁ ଚଣ୍ଡିଗଡ଼ର ଏସଏସପି ଭାବରେ କାର୍ୟ୍ୟ କରିଛନ୍ତି। ଏହା ବ୍ୟତୀତ ପରାଗ କାନାଡା ଓ ଶ୍ରୀଲଙ୍କାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କୁ ଜମ୍ମୁ ଏବଂ କାଶ୍ମୀରରେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଯେଉଁଠାରେ ସେ ସଂଘର୍ଷଗ୍ରସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରର ଆତଙ୍କବାଦ ବିରୋଧୀ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ବିମାନ ଗବେଷଣା କେନ୍ଦ୍ର (ARC)ର ମୁଖ୍ୟ ଥିଲେ ପରାଗ ଜୈନ ।