ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମୁକାବିଲା, ତା ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନୀ

IND vs PAK: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ନିଷ୍ପତ୍ତିରୁ ପାକିସ୍ତାନ ୟୁ-ଟର୍ଣ୍ଣ ନେଇଛି। ଏବେ ନିର୍ଦ୍ଧାରିତ ସମୟାନୁଯାୟୀ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଉତ୍ସାହ ଚରମ ସୀମାକୁ ପହଞ୍ଚିଛି। ମଙ୍ଗଳବାର ଆମେରିକା ବିପକ୍ଷରେ ଜିତ ପରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ଭାରତ ବିରୋଧୀ ମ୍ୟାଚ୍‌କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ବିପକ୍ଷରେ ସେ ସମାନ ଆକ୍ରମଣାତ୍ମକ ଏବଂ ସକାରାତ୍ମକ ମାନସିକତା ସହିତ ମାଠକୁ ଉତ୍ତରିବେ। ତାଙ୍କ ଏହି ବକ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆମେରିକା ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୧୯୦ ରନ ସଂଗ୍ରହ କରିଥିଲା। ସାହିବଜାଦା ଫରହାନ ୪୧ ବଲ୍‌ରେ ୭୩ ରନର ଚମତ୍କାର ପାଳି ଖେଳି ୫ଟି ଛକା ଓ ୬ଟି ଚୌକା ମାରିଥିଲେ। ଟାର୍ଗେଟ ପିଛା କରିବାକୁ ନାମିଥିବା ଆମେରିକା ୨୦ ଓଭରରେ ୧୫୮ ରନରେ ସୀମିତ ହୋଇଥିଲା, ଫଳରେ ପାକିସ୍ତାନ ୩୨ ରନରେ ମ୍ୟାଚ୍ ଜିତିଥିଲା। ଲଗାତାର ଦୁଇଟି ବିଜୟ ସହ ପାକିସ୍ତାନ ସୁପର-୮ ପାଇଁ ଦୃଢ଼ ଦାବିଦାର ହୋଇଉଠିଛି। ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବା ପରେ ଉପସ୍ଥାପକ ୱାସିମ ଆକ୍ରମ ଭାରତ ବିପକ୍ଷ ମ୍ୟାଚ୍ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ଫରହାନ କହିଥିଲେ, “ଆମେ ପୂର୍ବରୁ ଟିମ୍ ଇଣ୍ଡିଆ ବିପକ୍ଷରେ ଯେପରି ଖେଳିଛୁ, ସେହିପରି ସକାରାତ୍ମକ ଓ ଆକ୍ରମଣାତ୍ମକ ଭାବରେ ଖେଳିବାକୁ ଚେଷ୍ଟା କରିବୁ।”

ଉଲ୍ଲେଖଯୋଗ୍ୟ ଯେ, ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ତିନୋଟି ମ୍ୟାଚ୍‌ରେ ଭାରତ ପ୍ରତିଥର ପାକିସ୍ତାନକୁ ପରାସ୍ତ କରିଥିଲା। ଫରହାନ ଆହୁରି କହିଛନ୍ତି, “ନେଟ୍ ପ୍ରାକ୍ଟିସ ସମୟରେ ଆମେ ଦେଖିଥିଲୁ ଯେ ବଲ୍ ବ୍ୟାଟ୍‌ରେ ଭଲଭାବେ ଆସୁଥିଲା। ମୁଁ ବ୍ୟାଟିଂ କୋଚ୍‌ଙ୍କୁ ପୂର୍ବରୁ କହିଥିଲି ଯେ ଆଜି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବି ବୋଲି ମୋର ବିଶ୍ୱାସ ଅଛି। ଏହି ଟୁର୍ଣ୍ଣାମେଣ୍ଟରେ ଅତି କମରେ ଦୁଇ କିମ୍ବା ତିନୋଟି ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାକୁ ଲକ୍ଷ୍ୟ ରଖିଛି।” ଏବେ ସବୁ ନଜର ଫେବୃଆରୀ ୧୫ର ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରହିଛି, ଯାହା କ୍ରିକେଟ୍ ଦୁନିଆରେ ଆଉଥରେ ଉତ୍ସାହର ନୂଆ ଅଧ୍ୟାୟ ଲେଖିବ।