ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ରାଡାର ସିଷ୍ଟମ ଘୁଞ୍ଚାଇଲା ପାକିସ୍ତାନ

ଶ୍ରୀନଗର-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ନିଜର ରାଡାର ସିଷ୍ଟମ ଏବଂ ସାମରିକ ସାମଗ୍ରୀ ଘୁଞ୍ଚାଇଥିବା ଖବର ମିଳିଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ଭାରତୀୟ ବାୟୁସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଆଶଙ୍କାରେ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି।

ସୂଚନା ଅନୁଯାୟୀ, ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସେକ୍ଟରର ଅଞ୍ଚଳରେ ଏହାର ରାଡାର ସିଷ୍ଟମ ମୁତୟନ କରୁଛି। ସାମରିକ ନିରୀକ୍ଷକଙ୍କ ଅନୁଯାୟୀ, ପାକିସ୍ତାନ ଏୟାର ଫୋର୍ସ ନିଜର ସି-୧୩୦ ବିମାନକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ନିକଟସ୍ଥ ଅଞ୍ଚଳରେ ଉଡ଼ାଇଛି, ଯାହା ସୂଚାଏ ଯେ ସେମାନେ ସୀମା ନିକଟରେ ସାମରିକ ସାମଗ୍ରୀ ଏବଂ ରାଡାର ସିଷ୍ଟମ ଘୁଞ୍ଚାଉଛନ୍ତି। ନିକଟରେ ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୫୮ କିଲୋମିଟର ଦୂର ଚୋର କ୍ୟାଣ୍ଟନମେଣ୍ଟରେ TPS-77 ରାଡାର ମୁତୟନ କରିଥିଲା।