ନୂଆଦିଲ୍ଲୀ: Pakistan ଓ Afghanistan ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ନେଇଛି। ପାକିସ୍ତାନ ବାୟୁସେନା ଆଜି ସକାଳୁ ଆଫଗାନିସ୍ତାନର ରାଜଧାନୀ Kabul ଓ Kandahar ସମେତ ଅନ୍ୟାନ୍ୟ ଅଞ୍ଚଳରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଖବର ଅନୁସାରେ, ପୂର୍ବରାତିରେ Taliban ସେନା ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିଲେ। ଏଥିରେ ୫୫ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଏହାର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ପକ୍ଷରୁ ଏହି ବିମାନ ଆକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି।

ପାକିସ୍ତାନ ବାୟୁସେନା କାବୁଲ ଓ କାନ୍ଦାହାରରେ ଥିବା ତାଲିବାନର ମିଲିଟାରୀ କ୍ୟାମ୍ପ ଓ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରିଥିବା ଦାବି କରିଛି। ଏହି ଆକ୍ରମଣରେ ୧୩୩ ରୁ ଅଧିକ ତାଲିବାନ ସଦସ୍ୟ ନିହତ ଓ ପ୍ରାୟ ୨୦୦ ରୁ ଅଧିକ ଆହତ ହୋଇଥିବା ଦାବି ପାକିସ୍ତାନ ପକ୍ଷରୁ କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହି ପରିସ୍ଥିତିକୁ “ଖୋଲା ଯୁଦ୍ଧ” ବୋଲି ବର୍ଣ୍ଣନା କରିଥିବାବେଳେ, ତାଲିବାନ ମୁଖପାତ୍ର Zabihullah Mujahid ଏହାକୁ “କାପୁରୁଷୋଚିତ ଆକ୍ରମଣ” ବୋଲି କହିଛନ୍ତି। ସେହିସହ ପାଲଟା ଆକ୍ରମଣ ଆରମ୍ଭ ହୋଇଥିବା ମଧ୍ୟ ଜଣାଇଛନ୍ତି।

ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ। ସୋସିଆଲ ମିଡିଆରେ କାବୁଲ ଓ କାନ୍ଦାହାର ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାବୁଲରେ ପ୍ରାୟ ୮ଟି ବଡ଼ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ଦୁଇ ଦେଶ ମଧ୍ୟରେ ତଣାତଣି ଚରମ ସୀମାକୁ ପହଞ୍ଚିଥିବା ବେଳେ, ଆଗକୁ ଏହା ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।