ନୂଆଦିଲ୍ଲୀ: ପରମାଣୁ ଶକ୍ତି ବଢ଼ାଉଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ଭାରତର ପରାକ୍ରମ ଦେଖି ପାକିସ୍ତାନ ମନରେ ଛନକା ପଶିଯାଇଛି । ତେଣୁ ପରମାଣୁ ଅସ୍ତ୍ରର ଆଧୁନିକୀକରଣ ପାଇଁ ଯୋଜନା କରୁଛି ପାକିସ୍ତାନ । ପାକିସ୍ତାନ ଭାରତକୁ ତା’ର ପରମଶତ୍ରୁ ଭାବେ ଗଣନା କରୁଥିବାବେଳେ ଭାରତ ବିରୋଧରେ ସବୁବେଳେ ଷଡ୍ଯନ୍ତ୍ର କରିଆସୁଛି । ଆଉ ଏବେ ପାକିସ୍ତାନ ନିଜକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେଉଛି । ଅପରେସନ୍ ସିନ୍ଦୂର ପୂର୍ବରୁ ପାକିସ୍ତାନୀ ନେତାମାନେ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ । ହେଲେ ଅପରେସନ୍ ସିନ୍ଦୂର ଜରିଆରେ ପରମାଣୁ ବ୍ଲାକମେଲିଂ ଆଉ କାମ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ରୋକଠୋକ୍ ଭାଷାରେ ପାକିସ୍ତାନ ଓ ବିଶ୍ବବାସୀଙ୍କୁ ଏହା ଜଣାଇଦେଇଛନ୍ତି । ଏହାସହ ପାକିସ୍ତାନ ପରି ଦେଶ ପରମାଣୁ ଅସ୍ତ୍ରର ଗୁରୁତ୍ବକୁ କେତେ ଠିକ୍ ଭାବେ ବୁଝେ ଓ ଏହାର ସୁରକ୍ଷା ପାଇଁ କେତେ ପ୍ରତିଶ୍ରୁତିବଦ୍ଧ ତାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଶ୍ନ ଉଠାଇଥିଲେ । ଏପରିକି ଅନ୍ତର୍ଜାତୀୟ ଆଣବିକ ନୀରିକ୍ଷଣ ସଂସ୍ଥା ଏହା ଉପରେ କଡ଼ା ଦୃଷ୍ଟି ରଖିବାକୁ ଭାରତ କହିଛି । ଏପରି ପରିପ୍ରେକ୍ଷୀରେ ପାକିସ୍ତାନ ପରମାଣୁ ଶକ୍ତି ବଢ଼ାଇବାର ଖବର ବେଶ୍ ଚିନ୍ତାଜନକ ହୋଇଛି ।